ସଂକ୍ରମଣ ୯୦ ଲକ୍ଷ ଟପିଲା, ଅହମଦାବାଦ୍ରେ ୬୦ ଘଣ୍ଟିଆ କର୍ଫ୍ୟୁ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ୯୦ ଲକ୍ଷ ଟପିଯାଇଛି। ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୨ ହଜାର ୧୬୨ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୫ ହଜାର ୫୨୨ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୫୮୪ ଜଣଙ୍କ ଏହି ରୋଗରେ ମୃତ୍ୟୁ ହୋଇଛି। ଦେଶରେ ଏବେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୪ ଲକ୍ଷ ୪୩ ହଜାର ୭୯୪ ରହିଛି। ଅନ୍ୟପକ୍ଷେ ୮୪ ଲକ୍ଷ ୨୮ ହଜାର ୪୦୯ ଜଣ କରୋନାରୁ ସୁସ୍ଥ ହେବା ଫଳରେ ଆରୋଗ୍ୟ ହାର ୯୩.୬୦%କୁ ବୃଦ୍ଧି ପାଇଛି। ସକ୍ରିୟ ଏବଂ ଆରୋଗ୍ୟ ସଂଖ୍ୟା ମଧ୍ୟରେ ବ୍ୟବଧାନ ଏବେ ୭୯ ଲକ୍ଷ ୮୪ ହଜାର ୬୧୫ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଗୁରୁବାର ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୭୭.୨୭% ନୂଆ ଆରୋଗ୍ୟ ମାମଲା ଚିହ୍ନଟ ହୋଇଛି। କେରଳରେ ସର୍ବାଧିକ ୭,୦୬୬ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ଦିଲ୍ଲୀରେ ୬,୯୦୧ ଏବଂ ମହାରାଷ୍ଟ୍ରରେ ୬,୬୦୮ ଜଣ ସୁସ୍ଥ ହୋଇଛନ୍ତି। ୧୦ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ ମଧ୍ୟ ୭୭.୨୮% ନୂ୍ଆ ମାମଲା ରିପୋର୍ଟ କରାଯାଇଛି। ଦିଲ୍ଲୀରେ ସର୍ବାଧିକ ୭,୪୮୬ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ କେରଳରେ ୬,୪୧୯ ଏବଂ ମହାରାଷ୍ଟ୍ରରେ ୫,୦୧୧ ନୂଆ ମାମଲା ଚିହ୍ନଟ ହୋଇଛି। ହରିୟାଣା, ରାଜସ୍ଥାନ, ଗୁଜରାଟ ପରି ରାଜ୍ୟକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଉଚ୍ଚସ୍ତରୀୟ ବିଶେଷଜ୍ଞ ଦଳ ପଠାଯାଇଛି।
ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର, ଗ୍ବାଲିଅର, ବିଦିଶା ଏବଂ ରତଲମ୍ ଜିଲ୍ଲାରେ ୨୧ ତାରିଖ ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ହେବ। ତେବେ ଜରୁରୀ ସେବାରେ ନିୟୋଜିତ ଲୋକ ଏହି ନିୟମ ଅନ୍ତର୍ଭୁକ୍ତ ନୁହନ୍ତି। ଅନ୍ୟପକ୍ଷେ ଗୁଜରାଟର ସୁରଟ୍, ଭଦୋଦରା, ରାଜକୋଟରେ ମଧ୍ୟ ଆସନ୍ତାକାଲିଠାରୁ ରାତି ୯ରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ।