ଆସନ୍ତା ୭ତାରିଖରେ ଶେଷ ହେବ +୨ ପରୀକ୍ଷାର ମୂଲ୍ୟାଙ୍କନ ପ୍ରକ୍ରିୟା

0

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ୨୦୨୩ ଯୁକ୍ତ୨ ମୂଲ୍ୟାଙ୍କନ ପ୍ରକ୍ରିୟାର ଉଭୟ ଅଫ୍‌ଲାଇନ୍ ଏବଂ ଅନ୍‌ଲାଇନ୍ ଖାତାଦେଖା ଆସନ୍ତା ୭ତାରିଖ (ରବିବାର)ଶେଷ ହେବ । ତେବେ ଅଫ୍‌ଲାଇନ୍ ମୂଲ୍ୟାଙ୍କନରେ ପ୍ରାୟ ୮୦% ଏବଂ ଅନ୍‌ଲାଇନ୍ ଖାତାଦେଖାରେ ୮୫% ମୂଲ୍ୟାଙ୍କନ ଶେଷ ହୋଇଛି । ବିଶେକରି ରାଜନୀତି ବିଜ୍ଞାନ ଉତ୍ତରଖାତା ଦେଖିବା ଲାଗି ଯେଉଁ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କୁ ଚୟନ କରାଯାଇଥିଲା ସେମାନଙ୍କ ମଧ୍ୟରୁ ଅଧିକାଂଶ ଖାତାଦେଖିବାକୁ ଆସୁନଥିବା ଅଭିଯୋଗ ହୋଇଛି । ଫଳରେ ଏହି ବିଷୟରେ ମୁଲ୍ୟାଙ୍କନରେ ବିଳମ୍ବ ହୋଇଛି ।

ତେବେ ଯେଉଁ ସବୁ ଅଧ୍ୟାପକ ଏବଂ ଅଧ୍ୟାପିକା ଖାତାଦେଖାରେ ସହଯୋଗ କରୁନାହାଁନ୍ତି ସେମାନଙ୍କ ବିରୋଧରେ ଏକ୍‌ଜାମିନେସନ ଆକ୍ଟ ୧୯୮୮ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି +୨ ପରିଷଦ ପକ୍ଷରୁ ଜଣାପଡିଛି । ସେହିପରି ଖାତାଦେଖା ଲାଗି ଆସୁନଥିବା ପ୍ରାୟ ୧୫୦ଜଣ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଚଳିତବର୍ଷ ଅଫ୍‌ଲାଇନ୍ ମୁଲ୍ୟାଙ୍କନ ଲାଗି ୬୫ଟି ମୂଲ୍ୟାଙ୍କନ କେନ୍ଦ୍ର ଏବଂ ୩୯ଟି ଅନ୍‌ଲାଇନ୍ ମୂଲ୍ୟାଙ୍କନ କେନ୍ଦ୍ରରେ ଖାତାଦେଖା ଚାଲିଛି । ଅନ୍‌ଲାଇନ୍ ଖାତାଦେଖା ଲାଗି ୨୮୦୦ ଏବଂ ଅଫ୍‌ଲାଇନ୍ ଖାତାଦେଖା ଲାଗି ୩୯୦୦ଜଣ ଅଧ୍ୟାପକ, ଅଧ୍ୟାପିକା ରହିଥିଲେ ।

୨ୟ ପର୍ଯ୍ୟାୟ ଅଫ୍‌ଲାଇନ୍ ଖାତାଦେଖା ଏପ୍ରିଲ ୨୩ରୁ ଆରମ୍ଭ ହୋଇଥିବା ବେଳେ ଅନ୍‌ଲାଇନ୍ ଖାତାଦେଖା ଏପ୍ରିଲ ୨୫ରୁ ଆରମ୍ଭ ହୋଇଛି । ମୂଲ୍ୟାଙ୍କନ ପ୍ରକ୍ରିୟା ଶେଷ ହେବା ପରେ ବିଭିନ୍ନ ପ୍ରୋସେସିଂ ଲାଗି ୨୦ଦିନ ସମୟ ଲାଗିବ । ତେବେ ମେ’ ୩୧ରେ ବିଜ୍ଞାନ ଏବଂ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ । ସେହିପରି ଜୁନ୍ ୧୦ତାରିଖ ମଧ୍ୟରେ କଳା ଏବଂ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ ପ୍ରକାଶ ପାଇବ ବୋଲି ଜଣାପଡିଛି ।

Leave a comment