କାଲି ମଶାଣିରେ ଚେଇଁ ଉଠିଥିବା ଶିଶୁ ଆଜି ମେଡିକାଲରେ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ବଞ୍ଚିଥିବା ନବଜାତକୁ ଡାକ୍ତର ମୃତ ଘୋଷଣା କରିବା ପରେ ଶେଷକୃତ୍ୟ କରିବାକୁ ପରିବାର ପକ୍ଷରୁ ମଶାଣୀକୁ ନିଆଯାଇଥିଲା । ମାତ୍ର ସେଠାରେ ଶିଶୁପୁତ୍ର ଟିକୁ ପୋତିବାକୁ ମାଟି ଖୋଲାଯିବା ସମୟରେ ଶିଶୁଟି କାନ୍ଦିବା ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଚହଳ ପକାଇଥିଲା । ଶିଶୁପୁତ୍ରଟିକୁ ସେଠାରୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆ ଯାଇଥିଲା । ମାତ୍ର ଦୁର୍ଭାଗ୍ୟ ବଶତଃ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାହାର ମୃତ୍ୟୁ ଘଟିଛି । ମୟୂରଭଞ୍ଜ କରଞ୍ଜିଆ ହସ୍ପିଟାଲରେ ଶିଶୁପୁତ୍ରକୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।
ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ଖଡିକାପଦା ଗ୍ରାମର ସୁନିଆ ମୁଣ୍ଡାଙ୍କ ପନ୍ତ୍ରୀ ରାଇମଣି ମୁଣ୍ଡା ଗର୍ଭଯନ୍ତ୍ରଣା ହେବାରୁ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଆସିଥିଲେ। ସେଠାରେ ଆଜି ଅପରାହ୍ନ ୨.୦୬ ମିନିଟ ସମୟରେ ରାଇମଣି ମୁଣ୍ଡା ଏକ ଶିଶୁକୁ ଜନ୍ମ ଦେଇଥିଲେ। ସମୟ ପୂର୍ବରୁ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ଜନ୍ମ ବେଳେ ଶିଶୁ ପୁତ୍ରର ଓଜନ ମାତ୍ର ଆଠଶହ ଗ୍ରାମ ଥିଲା ବୋଲି ଡାକ୍ତର କହିଛନ୍ତି । ତେବେ ଗତକାଲି ଶିଶୁ ପୁତ୍ର ଜନ୍ମ ନେବା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଡାକ୍ତର ମୃତ୍ୟୁ ଘୋଷଣା କରିବା ପରେ ଶିଶୁ ପୁତ୍ରକୁ ଶେଷକୃତ୍ୟ ପାଇଁ ମଶାଣିକୁ ନେଇଥିଲେ । କିନ୍ତୁ ମଶାଣିରେ ଶେଷକୃତ୍ୟ ପୂର୍ବରୁ ଶିଶୁଟି ଚେଇଁ ଉଠିଥିଲା । ଏହାପରେ ପରିବାର ଲୋକ ପୁଣି ଥରେ ଶିଶୁକୁ ଧରି ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଆଜି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏପରି ଦାୟିତ୍ୱହୀନ କାର୍ଯ୍ୟ କରିଥିବା କର୍ମଚାରୀ ଏବଂ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର । ଏହି ଘଟଣାର ତଦନ୍ତ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।