ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉଦ୍ଘାଟିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଅନ୍ଧାରୁଆଠାରେ ଆଇକନିକ୍ ଓଡିଶା ଆଦର୍ଶ ବିଦ୍ୟାଳୟର ନୂତନ କ୍ୟାମ୍ପସର ଶୁଭ ଉଦ୍ଘାଟନ କରିଛନ୍ତି। ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରି ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୨୧ ସେପ୍ଟମ୍ବର ୫ ତାରିଖ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏହାର ଭିତ୍ତି ସ୍ଥାପନ କରିଥିଲେ। ଉଦ୍ଘାଟିତ ହୋଇଥିବା ୨୫ ଏକର ପରିମିତ ନୂତନ କ୍ୟାମ୍ପସରେ ସିବିଏସସି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍କର୍ଷ ହାସଲ କରିଥିବା ୧୦୦୦ ମେଧାବୀ ଛାତ୍ରଛାତ୍ରୀଙ୍କ ପଢିବା ପାଇଁ ଆକାଡେମିକ୍ ବ୍ଲକ, ପ୍ରତ୍ୟେକ ୫୪୪ କ୍ଷମତା ବିଶିଷ୍ଟ ୨ଟି ଛାତ୍ରାବାସ ଓ ଛାତ୍ରୀନିବାସ, ସେଣ୍ଟ୍ରାଲ କିଚେନ ଓ ଡାଇନିଙ୍ଗ ବ୍ୟବସ୍ଥା, ଷ୍ଟାଫ କ୍ୱାର୍ଟର୍ସ, ଡର୍ମିଟୋରୀ ଏବଂ ପାର୍କିଂ ଓ ବଗିଚା ଇତ୍ୟାଦିର ବ୍ୟବସ୍ଥା କରାଯାଇଛି। ଏହାର ନିର୍ମାଣ ପାଇଁ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି।