ନବନିଯୁକ୍ତ ୭୧୬ ଏଏସ୍ଓଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ
୫-ଟି ଉପକ୍ରମ ଅନୁସରଣ କର । କାର୍ଯ୍ୟରେ ସ୍ୱଚ୍ଛତା ରଖ । ଦାୟିତ୍ୱବାନ ହୁଅ । ଜନସାଧାରଣଙ୍କୁ ସେବା ଦିଅ । ସଚିବାଳାୟ କ୍ୟାଡରରେ ନବନିଯୁକ୍ତ ୭୧୬ ସହକାରୀ ଉପବିଭାଗ ଅଧିକାରୀ(ଏଏସ୍ଓ)ଙ୍କୁ ଏଭଳି ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଲୋକସେବା ଭବନରେ ଏନେଇ ନିଯୁକ୍ତି ପର୍ବ ହୋଇଥିଲା ।
ଏଥିରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନୂଆ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ରାଜ୍ୟ ସରକାର ମୋ ସରକାର କାର୍ଯ୍ୟକ୍ରମ ଓ ୫ଟି ଉପକ୍ରମ ନୀତି ଆଧାରରେ କାର୍ଯ୍ୟ କରୁଛନ୍ତି । ପ୍ରାୟ କ୍ଷେତ୍ରରେ ରୂପାନ୍ତର ସମ୍ଭବ ହୋଇଛି । ଲୋକଙ୍କ ଦୁଆରମୁହଁରେ ପ୍ରଶାସନ ପହଞ୍ଚିଛି ।
ସେଥିପାଇଁ ମିଳିତ ହୋଇ କାର୍ଯ୍ୟ କରିବାକୁ ହେବ । ତାହାଲେ ରାଜ୍ୟର ଉନ୍ନତି ଦ୍ୱିଗୁଣିତ ହେବ । ଆଉ ନୂଆ ଓଡ଼ିଶା ଆହୁରି ସଶକ୍ତ ଓଡ଼ିଶାରେ ପରିଣତ ହେବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରୁ ଅଧିକାଂଶଙ୍କ ବିଟେକ୍, ଏମ୍ଟେକ୍ ଡିଗ୍ରୀ ଥିବା ଜଣାପଡ଼ିଛି । ତାହା ଶୁଭଙ୍କର । ସେମାନେ ଆତ୍ମବିଶ୍ୱାସ ସହ ରାଜ୍ୟର ଉନ୍ନତି ପାଇଁ ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ । ଉକ୍ତ ପ୍ରଶିକ୍ଷଣ ଉତ୍ସବରେ ଗୃହ ରାଜ୍ୟମନ୍ତ୍ରୀ ତୁଷାର କାନ୍ତୀ ବେହେରା ଆନ୍ତରିକତା ଓ ସଂପୂର୍ଣ୍ଣ ସ୍ୱଚ୍ଛତା ସହିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲାବେଳେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ୫ଟି ଅନୁଶରଣରେ କାର୍ଯ୍ୟ କରିବାକୁ ଗୁରୁମନ୍ତ୍ର ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ଅନୁ ଗର୍ଗ ଯୋଗ ଦେଇଥିଲାବେଳେ ଗୃହ ବିଭାଗର ଏସିଏସ୍ ଡି.କେ ସିଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।