ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ୫ ଯବାନ ସହିଦ

ଶୁକ୍ରବାର ସକାଳେ ଜମ୍ମୁ-କଶ୍ମୀରର ରଜୌରୀରେ ସେନା ପକ୍ଷରୁ କରାଯାଇଥିବା ସର୍ଚ୍ଚ ଅପରେସନ ବେଳେ ଗୁଳି ମାଡ଼ ସହ ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ। ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଲିବିନିମୟରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ଆଉ ଜଣେ ଯବାନ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।ସହିଦ ଯବାନମାନେ ପାରା ସ୍ପେଶାଲ ଫୋର୍ସର କମାଣ୍ଡୋ ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ ଶୁକ୍ରବାର ସକାଳେ ରାଜୌରିର କାଣ୍ଡି ଜଙ୍ଗଲରେ ସେନା ପକ୍ଷରୁ ଏକ ଅପରେସନ କରାଯାଉଥିବାବେଳେ ଆତଙ୍କବାଦୀମାନେ ଏକ ବିସ୍ଫୋରଣ କରିଥିଲେ । ଏଥିରେ ୨ ଯବାନ ସହିଦ ହୋଇଥିବାବେଳେ ଆଉ ୪ ଜଣ ଆହତ ହୋଇଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣ ବୀର ଯବାନ ଆଖି ବୁଜିଛନ୍ତି। ୩ ଜଣ ମୃତ୍ୟୁବରଣ କରିବା ପରେ ମୋଟ ସହିଦ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।ଏହାକୁ ମିଶାଇ ଜମ୍ମୁ-କଶ୍ମୀରରେ ଗଲା ୩ ଦିନରେ ତୃତୀୟ ଥର ପାଇଁ ଏପରି ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି।
ସୂଚନାଯୋଗ୍ୟ ରଜୌରୀ ସେକ୍ଟରର କାଣ୍ଡି ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏମାନେ ନିକଟରେ ପୁଞ୍ଚରେ ହୋଇଥିବା ଆତଙ୍କୀ ହମଲାରେ ସାମିଲ ଥିବା ଏହି ସୂଚନାରେ କୁହାଯାଇଥିଲା। ଏହାପରେ ସକାଳ ପ୍ରାୟ ୭.୩୦ ସେନା ଓ ପୁଲିସ୍ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ସ୍ଥାନୀୟ ଅଞ୍ଚଳରେ ଥିବା ଗୋଟିଏ ସୁଡ଼ଙ୍ଗରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଥିଲା।
ତେବେ ଉକ୍ତ ଅଞ୍ଚଳଟି ପାହାଡ଼ିଆ ବଣ ଜଙ୍ଗଲ ମଧ୍ୟରେ ଥିବାରୁ ସୁରକ୍ଷାକର୍ମୀଙ୍କୁ ଅପରେସନ ପାଇଁ ବେଶ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା।ଏହାର ଫାଇଦା ଉଠାଇ ଆତଙ୍କବାଦୀମାନେ ବିସ୍ଫୋରଣ କରିବା ଆରମ୍ଭ କରିଥିଲେ। ଏଥିସହ ଗୁଳିମାଡ଼ ମଧ୍ୟ କରିଥିଲେ। ସୁରକ୍ଷାକର୍ମୀମାନେ ଏହାର ଜବାବ ଦେବାରୁ ଦୁଇ ପକ୍ଷ ମଧ୍ୟରେ ଘମାଘୋଟ ଲଢ଼େଇ ଆରମ୍ଭ ହୋଇଥିଲା।ଏହି ଅଂଚଳରେ ଏବେ ବି ସେନାର ଅପରେସନ ଜାରି ରହିଛି ଓ କିଛି ଆତଙ୍କବାଦୀ ଫସି ରହିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାରେ ଇଣ୍ଟରନେଟ୍ ସେବା କୁ ବନ୍ଦ କରାଯାଇଛି ।ଏବେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଅପରେସନ ଜାରି ରହିଛି। ସେହିପରି ସୁରକ୍ଷାକର୍ମୀଙ୍କ ଗୁଳିରେ ସୁଡ଼ଙ୍ଗ ମଧ୍ୟରେ ଲୁଚିଥିବା ଆତଙ୍କବାଦୀଙ୍କ ମଧ୍ୟରୁ କିଛି ଜଣ ଗୁରୁତର ଆହତ ହୋଇଥିବା ସେନା ପକ୍ଷରୁ କୁହାଯାଇଛି।