ଚିଟଫଣ୍ଡ ଲିଙ୍କ ରୁ ଜାମିନରେ ଆସି ମହିଳାଙ୍କୁ ଅସଦାଚରଣ ଅଭଯୋଗରେ ଗିରଫ ହେଲେ ଶୁଭଙ୍କର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୪ ମସିହାରେ ସି’ସୋର ଚିଟଫଣ୍ଡ ଲିଙ୍କ ଅଭିଯୋଗରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଶୁଭଙ୍କର ନାୟକ ଜଣେ ମହିଳାଙ୍କୁ ମାଡ଼ ମାରିବା ସହ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଚିଟଫଣ୍ଡ କମ୍ପାନୀ ଓ କିଛି ନେତାଙ୍କ ମିଡ଼ିଲ ମ୍ୟାନ ଭାବରେ ପରିଚିତ ଶୁଭଙ୍କର ନାୟକ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର ଚିଟଫଣ୍ଡ ପାଇଁ ନୁହେଁ ବରଂ ଏକ ମହିଳାଙ୍କୁ ମଡ଼ମାରିବା ଓ ଅଶ୍ରାବ୍ୟ ଭାଷାରେ ଗାଳି ଦେବା ଅଭିଯୋଗରେ । ଶୁଭଙ୍କର ଖାରବେଳନଗର ସ୍ଥିତ ଚନ୍ଦ୍ରମା ଅପର୍ଟମେଣ୍ଟରେ ରୁହନ୍ତି । ସେହି ଅପର୍ଟମେଣ୍ଟର ଜଣେ ମହିଳାଙ୍କ ସହ ପୂର୍ବରୁ ତାଙ୍କର ଭଲ ସଂପର୍କ ଥିଲା । ପୂର୍ବରୁ ଶୁଭଙ୍କର ଓ ସେହି ମହିଳା ବହୁ ସ୍ଥାନକୁ ଏକ ସାଙ୍ଗରେ ଯିବାଆସିବା କରିବାର ଦେଖିବାକୁ ମିଳୁଥିଲା । ମାତ୍ର କାଲି ରାତିରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ମହିଳାଙ୍କ ୧୨ ବର୍ଷର ପୁଅ ମଧ୍ୟ ତାଙ୍କ ସାଙ୍ଗରେ ଥିଲା । ଯୁକ୍ତିତର୍କ ଧୀରେଧୀରେ ଗଣ୍ଡଗୋଳ ରୂପ ନେବାରୁ ଅପର୍ଟମେଣ୍ଟରେ ଥିବା ପଡୋଶୀ ଜମାହେବା ଆରମ୍ଭ ହୋଇଗଲା । ମାତ୍ର ପଡୋଶୀଙ୍କୁ ଦେଖିମଧ୍ୟ ଶୁଭଙ୍କର ପାଟି ଚୁପ କରିବା ବଦଳରେ ଅଧିକ ଝଗଡ଼ା ଆରମ୍ଭ କରିଦେଇଥିଲେ । ମହିଳା ଜଣକ ତାଙ୍କୁ ଏଥିରୁ ନିବୃତ ରହିବାକୁ କହିବାରୁ ଶୁଭଙ୍କର ଉକ୍ତ ମହିଳାଙ୍କୁ ଏକ ଚାପୁଡ଼ା ମାରିବା ସହ ଅଶ୍ରାବ୍ୟ ଭାଷାରେ ଗାଳି ଦେଇଥିଲେ । ମହିଳା ଜଣକ ଏନେଇ ଖାରବେଳନଗର ଥାନାରେ ଅଭିଯୋଗ କରିବାପରେ ପୋଲିସ ୨୯୪, ୩୪୧, ୩୨୩, ୪୨୭,୩୫୪(ଏ)(୨),୩୫୪(ଡ଼ି)(୨), ୫୦୬ ଦଫାରେ ଶୁଭଙ୍କରଙ୍କୁ ଗିରଫ କରିଛି ।
ଶୁଭଙ୍କର ୨୦୧୪ ମସିହାରେ ସି’ସୋର ଚିଟଫଣ୍ଡ ଲିଙ୍କ ଅଭିଯୋଗରେ ସିବିଆଇ ଦ୍ୱାରା ଗିରଫ ହୋଇ ୨୦୧୭ ମସିହା ଅଗଷ୍ଟ ମାସରେ ଜାମିନରେ ଆସିଥିଲେ ।