ଶିକ୍ଷୟିତ୍ରୀଙ୍କ ସ୍ୱାମୀ ମାଡରେ ସ୍କୁଲ ଛାତ୍ର ଆହତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶିକ୍ଷୟିତ୍ରୀଙ୍କ ସ୍ୱାମୀ ମାଡରେ ପ୍ରଥମ ଶ୍ରେଣୀର କିଛି ଛାତ୍ର ଆହତ ହୋଇଛନ୍ତି । ଏଭଳି ଘଟଣା ବଲାଙ୍ଗିର ଜିଲ୍ଲା ଜାଲପାଲି ପ୍ରାଥମିକ ବିଦ୍ୟାଳୟରେ ଘଟିଛି । ଛାତ୍ରଟିକୁ ଶିକ୍ଷୟିତ୍ରୀ ଲକ୍ଷ୍ମୀ ମେହେରଙ୍କ ବଦଳରେ ତାଙ୍କ ସ୍ୱାମୀ ମରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ, ଜାଲପାଲି ପ୍ରାଥମିକ ବିଦ୍ୟାଳୟରେ ଷାଣ୍ମାସିକ ପରୀକ୍ଷା ଚାଲୁଥିବା ସମୟରେ କିଛି ଛାତ୍ର ଚିତ୍ର ଆଙ୍କି ପାରିନଥିଲେ । ସେଥିରେ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ସୌଦାଗର ମେହେର ପିଲାଙ୍କ ଉପରେ ରାଗିବା ସହ ପ୍ରବଳ ମାଡ଼ ମାରିଥିଲେ । ସୌଦାଗରଙ୍କ ମାଡରେ କୋମଳମତି ଶିଶୁ ଗୁଡିକ ଗୁରୁତର ଆହତ ହୋଇଥିଲେ । ଛାତ୍ରମାନେ ଘରେ ଏସମ୍ୱନ୍ଧରେ କହିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରିବା ସହ ଆହତ ଶିଶୁଙ୍କୁ ମେଡିକାଲରେ ଭର୍ତ୍ତି କରିଛି।

ଅଭିଭାବକମାନଙ୍କ ଅଭିଯୋଗ ଅନୁଯାୟୀ, ଶିକ୍ଷୟିତ୍ରୀଙ୍କ ସ୍ୱାମୀ ସ୍କୁଲ୍‌ ପରିସରରେ କ’ଣ କରୁଥିଲେ ଓ କାହା ଅନୁମତିରେ ସେ ପରୀକ୍ଷା ଶ୍ରେଣୀ ଗୃହକୁ ଆସିଥିଲେ । ସେ କାହିଁକି ଛାତ୍ରଙ୍କୁ ମାଡ଼ ମାରିଥିଲେ ଵୋଲି ପ୍ରଶ୍ନ କରିଥିଲେ । ଏହାସହ ସେମାନେ ସ୍କୁଲରେ ତାଲା ପକାଇ ଦେଇଥିଲେ । ସ୍କୁଲ ଅଧିକାରୀଙ୍କ ବୁଝାସୁଝା ପରେ ଲୋକ ଶାନ୍ତ ହୋଇଥିଲା । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଶିକ୍ଷୟିତ୍ରୀଙ୍କ ସ୍ୱାମୀ ସୌଦାଗର ମେହେର ଫେରାର ଥିବା ସୂଚନା ମିଳିଛି ।

Leave a comment