ସିଜେଆଇଙ୍କୁ ପତ୍ର ଲେଖିଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ, ତୁରନ୍ତ ହେଲା ସମସ୍ୟାର ସମାଧାନ

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ.ଭି. ରମନାଙ୍କୁ ପତ୍ର ଲେଖି ଗାଁରେ ବସ ସେବା ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି ଅଷ୍ଟମ ଶ୍ରେଣୀର ଛାତ୍ରୀ। କରୋନା ଲକ୍ଡାଉନ୍ ନିୟମ କୋହଳ ହେବା ପରେ ମଧ୍ୟ ବସ୍ ସେବା ଆରମ୍ଭ ନହେବାରୁ ଛାତ୍ରୀ ଜଣଙ୍କ ଏହି ପଦକ୍ଷେପ ନେଇଛନ୍ତି। ବସ୍ ନଚାଲିବା ଯୋଗୁଁ ସେ ଓ ତାଙ୍କ ଭାଇ-ଭଉଣୀ ସ୍କୁଲ୍ ଯିବାରେ ଅସୁବିଧା ହେଉଛି। ଏହା ସହ ଗ୍ରାମବାସୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଛାତ୍ରୀ ଜଣଙ୍କ ନିଜ ପତ୍ରରେ ଲେଖିଛନ୍ତି।ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲା ଅନ୍ତର୍ଗତ ଚିଡୁ ଗାଁର ପି ବୈଷ୍ଣବୀ ସିଜେଏଆଇଙ୍କୁ ପତ୍ର ଲେଖି ଅସୁବିଧା ସମ୍ପର୍କରେ କହିଛନ୍ତି।
ସେପଟେ ପତ୍ର ପାଇବା ପରେ ସିଜେଆଇ ତୁରନ୍ତ ତେଲେଙ୍ଗାନା ସଡ଼କ ପରିବହନ ନିଗମ (ଟିଏସଆରଟିସି)କୁ ସୂଚନା ଦେଇଥିଲେ। ଏହା ସହ ପିଲାମାନଙ୍କ ଶିକ୍ଷାଗତ ଅଧୀକାର ଯେମିତି ବାଧାପ୍ରାପ୍ତ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ସିଜେଆଇ ତାଗିଦ କରିଥିଲେ। ଜଷ୍ଟିସ୍ ରମନାଙ୍କ ପାଖରୁ ସୂଚନା ପାଇବା ପରେ ଟିଏସଆରଟିସି ପକ୍ଷରୁ ଚିଡୁ ଗାଁକୁ ପୁଣିଥରେ ବସ୍ ସେବା ଆରମ୍ଭ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ନିଜ ପତ୍ରରେ ବୈଷ୍ଣବୀ ଆହୁରି ମଧ୍ୟ ଲେଖିଛନ୍ତି ଯେ ସ୍କୁଲ ଯିବାକୁ ଭାଇ-ଭଉଣୀ-ମୁଁ ହଇରାଣ ହେଉଛୁ । କରୋନାର ପ୍ରଥମ ଲହରରେ ହୃଦଘାତରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ମା, ଛୋଟମୋଟ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଏଣୁ ପ୍ରତିଦିନ ରିକ୍ସା ଭଡ଼ା କରି ସ୍କୁଲ ଯିବା ଅସମ୍ଭବ ହୋଇପଡ଼ିଛି। ଛାତ୍ରୀଙ୍କ ପାଖରୁ ପତ୍ର ପାଇବା ପରେ ସିଜେଆଇ ଏହି ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେଇଥିବାରୁ ବୈଷ୍ଣବୀଙ୍କ ସମେତ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି ।