ନିର୍ବାଚନ ରାଲିରେ ଛୋଟ ପିଲାଙ୍କୁ ନିୟୋଜିତ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ନିର୍ବାଚନ ରାଲିରେ ଛୋଟ ପିଲାଙ୍କୁ ନିୟୋଜିତ କରିବା ଉପରେ ରୋକ୍ ଲଗାଯାଇଛି । ଯଦି କୌଣସି ରାଜନୈତିକ ଦଳ ରାଲି କିମ୍ବା ନିର୍ବାଚନୀ କାର୍ଯ୍ୟରେ ଛୋଟ ପିଲାଙ୍କୁ ବ୍ୟବହାର କରନ୍ତି ତାହା ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରି କଡ଼ା ଚେତାବନୀ ଦେଇଛନ୍ତି ସିଇଓ ନିକୁଞ୍ଜ ବିହାରୀ ଧଳ ।
ରାଜନୈତିକ ଦଳ ଦ୍ୱାରା ଶୋଭାଯାତ୍ରା, ପ୍ରଚାର ଆଦି କାର୍ଯ୍ୟରେ ଶିଶୁମାନଙ୍କୁ ନିୟୋଜିତ କରାଯାଉଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନେକ ଅଭିଯୋଗ ହସ୍ତଗତ ହୋଇଥିଲା ।
ଏହି ପରିପ୍ରେକ୍ଷୀରେ ଶିଶୁମାନଙ୍କୁ କୌଣସି ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପରେ ନିୟୋଜିତ ନକରିବା ପାଇଁ ଏବଂ ଭାରତ ନିର୍ବାଚନ ଆୟୋଗଙ୍କ ନିୟମାବଳୀ ମାନିବାକୁ ରାଜ୍ୟର ସମସ୍ତ ସ୍ୱୀକୃତିପ୍ରାପ୍ତ ଜାତୀୟ ଏବଂ ରାଜ୍ୟସ୍ତରୀୟ ରାଜନୈତିକ ଦଳ, ଅଣପଞ୍ଜିକୃତ ରାଜନୈତିକ ଦଳର ସଭାପତିଙ୍କୁ ଅବଗତ କରାଯାଇଛି ବୋଲି ଶ୍ରୀ ଧଳ କହିଛନ୍ତି ।
ଭାରତ ନିର୍ବାଚନ ଆୟୋଗ ଜାରି କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ ମୁଖ୍ୟତଃ ସମସ୍ତ ରାଜନୈତିକ ଦଳ ପ୍ରାର୍ଥୀ ଶିଶୁମାନଙ୍କୁ କୌଣସି ପ୍ରକାର ନିର୍ବାଚନ ସମ୍ପର୍କିତ କାର୍ଯ୍ୟରେ ନିୟୋଜନ କରିବାରୁ ନିବୃତ୍ତ ରହିବେ ଏବଂ ଶିଶୁଶ୍ରମିକ ପ୍ରତିରୋଧ ଓ ନିୟନ୍ତ୍ରଣ ଆଇନ ଉଲ୍ଲଂଘନ କରିବେ ନାହିଁ । ଏହା ସହ ନ୍ୟାସନାଲ କମିଶନ୍ ଫର ପ୍ରୋଟେକସନ୍ ଅଫ୍ ଚାଇଲ୍ଡ ରାଇଟ୍ (ଏନ୍ସିପିସିଆର୍)ର ପ୍ରଚଳିତ ନିୟମ ମାନିବେ । ରାଜନୈତିକ ଦଳମାନେ କୌଣସି ପ୍ରକାର ନିର୍ବାଚନ ପ୍ରଚାର, ଭୋଟ ପାଇଁ ପ୍ରବର୍ତ୍ତାଇବା, ଶୋଭାଯାତ୍ରା, ପଦଯାତ୍ରା, ପୋଷ୍ଟର ପାମ୍ପଲେଟ୍ ବଣ୍ଟନ, ସ୍ଲେଗାନ୍ବାଜି, ପ୍ରଚାର ଶୋଭାଯାତ୍ରା, ନିର୍ବାଚନ ସଭା ଇତ୍ୟାଦିରେ ଶିଶୁମାନଙ୍କୁ ବ୍ୟବହାର କରିବା ଅନୁଚିତ ।
ଏତଦ୍ବ୍ୟତୀତ କାଖରେ ଶିଶୁଙ୍କୁ ଧରି ନିର୍ବାଚନୀ ଶୋଭାଯାତ୍ରାରେ ସାମିଲ ହେବା, ଗାଡ଼ିରେ ଶିଶୁଙ୍କୁ ନେଇ ରାଲିରେ ଯିବା ଓ ଶିଶୁଙ୍କୁ ନିର୍ବାଚନ ପ୍ରଚାର ଶୋଭାଯାତ୍ରା ଇତ୍ୟାଦିରେ ବ୍ୟବହାର କରିବା ନିୟମାବଳୀର ଉଲ୍ଲଂଘନ ବୋଲି ଧରାଯିବ । ନିର୍ବାଚନ କମିଶନ ଏନେଇ ୨୦୧୪ ଅଗଷ୍ଟ ୪ ତାରିଖରେ ମୁମ୍ବାଇ ହାଇକୋର୍ଟ ଦେଇଥିବା ଏକ ରାୟର ଉଦାହରଣ ଦେଇଥିଲେ । ମାମଲାରେ ପ୍ରଦାନ କରିଥିବା ରାୟ ଅନୁସାରେ କୌଣସି ରାଜନୈତିକ ଦଳ ଶିଶୁମାନଙ୍କୁ ନିର୍ବାଚନ କାର୍ଯ୍ୟକଳାପରେ ସାମିଲ କରିପାରିବେ ନାହିଁ।