ପୁଲିସ ଏନକାଉଣ୍ଟରରେ ହାଇଦର ମୃତ୍ୟୁ, ମାନବାଧିକାର ଆୟୋଗ ପକ୍ଷରୁ ମାମଲା ରୁଜୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ହାଇଦର ମୃତ୍ୟୁ ଘଟଣାରେ ରାଜ୍ୟ ମାନବାଧିକାର ଆୟୋଗ ପକ୍ଷରୁ ମାମଲା ରୁଜୁ । ଆୟୋଗ ଅଧ୍ୟକ୍ଷ ବିଚାରପତି ବି.କେ. ପଟେଲ ଓ ସଦସ୍ୟ ଅସିମ ଅମିତାଭ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ସୁରକ୍ଷା ଦୃଷ୍ଟିରୁ ଗତ ୨୪ ତାରିଖରେ ହାଇଦରକୁ ଚୌଦ୍ବାର ମଣ୍ଡଳ କାରାଗାରରୁ ବାରିପଦା ସ୍ଥାନାନ୍ତର କରାଯାଉଥିଲା । ଅପରାହ୍ନ ୩.୨୦ ମିନିଟରେ ସିମୁଳିଆଠାରେ ପରିସ୍ରା ବାହାନାରେ ହାଇଦର ଗାଡିରୁ ଓହ୍ଲାଇଥିଲେ। ଗୋଟିଏ ହାତରୁ ହାତକଡି ଖୋଲାଯାଇଥିବା ବେଳେ ଜଣେ ସୁରକ୍ଷା କର୍ମୀଙ୍କ ବନ୍ଧୁକ ଛଡାଇ ଖସିପଳାଇବାକୁ ଉଦ୍ୟମ କରଥିଲା ହାଇଦର । ଅପରପକ୍ଷରେ ପୁଲିସ ତାଙ୍କ ଉପରକୁ ଗୁଳି ଚଳାଇଥିଲା । ହାଇଦର ର ଛାତି, ପେଟ ଓ ଜଙ୍ଘରେ ଗୁଳି ବାଜିଥିଲା । ତାକୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ମାତ୍ର ସେଠାରେ ତାର ମୃତ୍ୟୁ ଘଟିଥିଲାବ। ଏ ନେଇ ସମସ୍ତ ଗଣମାଧ୍ୟମରେ ବିସ୍ତୃତ ବିବରଣୀ ପ୍ରକାଶିତ ହୋଇଥିଲା ।

ଗଣମାଧ୍ୟମ ବିବରଣୀକୁ ଭିତ୍ତି କରି ଆୟୋଗ କେଉଁ ପରିସ୍ଥିତିରେ ଓ କାହିଁକି ପୁଲିସ ଗୁଳି ଚଳାଇଲା ସେନେଇ ଜବାବ ତଲବ କରିଛନ୍ତି । ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦେଶକ, କାରାଗାର ବିଭାଗ ମହାନିର୍ଦେଶକ, ଦୈତ୍ବନଗରୀ ପୁଲିସ ଆୟୁକ୍ତଙ୍କୁ ଜବାବ ତଲବ କରିଛନ୍ତି । ୪ ସପ୍ତାହ ମଧ୍ୟରେ ବିବରଣୀ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୬ ତାରିଖରେ ହେବ ।

Leave a comment