ଚାଷୀଙ୍କ ପାଇଁ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କଲେ ସରକାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶେଷରେ ଚାଷୀ ମାନଙ୍କ ଆନ୍ଦୋଳନ କୁ ପ୍ରଶମିତ କରିବାପାଇଁ ସରକାର ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଥବା ଜଣାପଡିଛି ।

ସୂଚନା ଅନୁଯାୟୀ, ପ୍ରାଇସ, ପ୍ରେଷ୍ଟିଜ, ପେନସନ ଦାବୀରେ ଦୀର୍ଘ ଦିନରୁ ଆନ୍ଦୋଳନ କରୁଥିବା ଚାଷୀ ଶେଷରେ ରାଜଧାନୀ ମୁହାଁ ହୋଇଛନ୍ତି । ଚାଷୀ ନେତା ଅକ୍ଷୟ କୁମାର ଏବଂ ଶେଷଦେବ ନନ୍ଦଙ୍କ ନେତୃତ୍ୱରେ ଆସୁଥିବା ଚାଷୀ ମାନେ ଦୁଇ ଭାଗରେ ଆସି ଭୁବନେଶ୍ୱର ରେ ପହଞ୍ଚିବେ । ଚାଷୀ ମାନଙ୍କ ଏଭଳି ବଡ଼ ଧରଣର ଆନ୍ଦୋଳନ ଦେଖି ସରକାର ଚାଷୀ ମାନଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଖୋର୍ଦ୍ଧା ପଟରୁ ତମାଣ୍ଡୋ ଏବଂ କଟକ ପଟରୁ କୁଆଖାଇ ଠାରେ ଜାତୀୟରାଜପଥ ରେ ୧୪୪ଧାରା ଜାରି କରାଯାଇଥିଲେ ମଧ୍ୟ ଚାଷୀ ମାନେ ଏହାକୁ ଖାତିର ନକରି ୧୪୪ଧାରା କୁ ଭାଙ୍ଗି ରାଜଧାନୀ ମୁହାଁ ହୋଇଛନ୍ତି । ଚାଷୀ ନେତାମାନେ ସରକାର ଙ୍କୁ ନିଜ ଦାବୀ ପାଇଁ ଆଜି ୧୨ଟା ପର୍ଯ୍ୟନ୍ତ ସମୟ ଦେଇଥିଲେ । ସରକାର ଚାଷୀ ଙ୍କ ଦାବି ପାଇଁ ଶେଷରେ ବାଧ୍ୟହୋଇ ଅର୍ଥମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଥବା ବେଳେ ଏହି କମିଟିରେ ସମବାୟ, କୃଷି, ଏବଂ ପଞ୍ଚାୟତରାଜ ମନ୍ତ୍ରୀ ସାମିଲ ଅଛନ୍ତି । ଏହି କମିଟି ଖୁବଶୀଘ୍ର ଟର୍ମ ଅଫ ରେଫେରେନ୍ସ ପ୍ରସ୍ତୁତ କରିବ ବୋଲି ଜଣାପଡିଛି ।