ରାଜ୍ୟ କ୍ୟାବିନେଟ ବୈଠକରେ ୨୭ ଟି ପ୍ରସ୍ତାବରେ ମୋହର;ଯୁବ ଗୋଷ୍ଠୀଙ୍କ ପାଇଁ ନୂଆ ସ୍କିମ ‘ସ୍ୱୟମ’ରେ ବିନା ସୁଧରେ ୧ ଲକ୍ଷ ପର୍ଯ୍ୟନ୍ତ ଋଣ
ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ୧ ହଜାର ଟଙ୍କା ଲେଖାଏଁ ଓ ୨ଟି ଝୋଟ ବ୍ୟାଗ୍ ମିଳିବ
ଆଜି ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଜି ରାଜ୍ୟ କ୍ୟାବିନେଟରେ ମୋଟ ୨୭ ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ତେବେ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ୧ ହଜାର ଟଙ୍କା ଲେଖାଏଁ ଓ ୨ଟି ଝୋଟ ବ୍ୟାଗ୍ ମିଳିବ ବୋଲି ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି।
ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାକୁ ଏହି ଟଙ୍କା ଓ ବ୍ୟାଗ୍ ମିଳିବ। ଏଥିରେ ରାଜ୍ୟର ୯୫ ଲକ୍ଷ ୯୦ ହଜାର ହିତାଧିକାରୀ ଉପକୃତ ହେବେ। ଏହି ଯୋଜନାରେ ରାଜ୍ୟ ସରକାରଙ୍କ ୯୫୯.୫ କୋଟି ଖର୍ଚ୍ଚ ହେବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ବର୍ତ୍ତମାନ ଆସିଥିବା ନୂଆ ଜାଗରଣରେ ଓଡିଶାର ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଯୁବ ସମାଜକୁ ସାମିଲ କରିବା ପାଇଁ ଆଜି ରାଜ୍ୟ କ୍ୟାବିନେଟ ‘ସ୍ୱୟମ’ ନାମରେ ଏକ ନୂତନ ଯୋଜନାକୁ ଅନୁମତି ଦେଇଛନ୍ତି।
ଏହାଦ୍ୱାରା ରାଜ୍ୟର ବ୍ୟବସାୟିକ ବାତାବରଣ ଆହୁରି ଉଜ୍ଜ୍ୱଳ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।
‘ସ୍ୱୟମ’ ହେଉଛି ସ୍ୱତନ୍ତ୍ର ଯୁବ ଉଦ୍ୟମୀ । ଏହି ଯୋଜନାରେ ୧୮ରୁ ୩୫ ବର୍ଷ ବୟମର ଯୁବକ ଯୁବତୀମାନଙ୍କୁ ବ୍ୟବସାୟ କରିବା ପାଇଁ ୧ ଲକ୍ଷ ପର୍ୟ୍ୟନ୍ତ ବ୍ୟାଙ୍କ ଋଣ ବିନା ସୁଧରେ ପ୍ରଦାନ କରାଯିବ। ଏହି ଯୋଜନାରେ ରାଜ୍ୟ ସରକାର ପ୍ରାଥମିକ ପର୍ୟ୍ୟାୟରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୧ ଲକ୍ଷ ଯୋଗ୍ୟ ଯୁବକ ଯୁବତୀମାନଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥି ପାଇଁ ରାଜ୍ୟ ସରକାର ତାଙ୍କ ନିଜ ବଜେଟରୁ ୪୪୮ କୋଟି ଟଙ୍କା ଖର୍ଚ୍ଚ କରିବେ।
ସୂଚନାଯୋଗ୍ୟ ଯେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଯୁବକ ଯୁବତୀମାନେ ବ୍ୟବସାୟ ବାଣିଜ୍ୟ ପାଇଁ ସରକାରଙ୍କ ସ୍ୱତନ୍ତ୍ର ସହାୟତା ପାଇଁ ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆସିବା ପରେ ଏ ସଂପର୍କିତ ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ପାଇଁ ଯାଇଥିଲା ଏବଂ ଆଜି ଏହା ଅନୁମୋଦନ ଲାଭ କରିଛି ।
ଏହି ଯୋଜନାରେ ୧୮ରୁ ୩୫ ବର୍ଷ ବୟମର ଯୁବକ ଯୁବତୀମାନେ ସାମିଲ ହୋଇପାରିବେ। ଅନୁସୂଚିତ ଜାତି ଜନଜାତି ଓ ଭିନ୍ନକ୍ଷମ ବର୍ଗର ପିଲାଙ୍କ ପାଇଁ ଏହି ବୟମ ସୀମା ୧୮ ରୁ ୪୦ ବର୍ଷ । ଆବେଦନକାରୀଙ୍କ ପରିବାର କାଳିଆ କିମ୍ବା ବିଏସକେଓ୍ୱାଇ ଯୋଜନାରେ ସାମିଲ ହୋଇଥିବେ କିମ୍ବା ସେମାନଙ୍କ ବାର୍ଷିକ ପାରିବାରିକ ରୋଜଗାର ୨ ଲକ୍ଷରୁ କମ ହେବା ଆବଶ୍ୟକ। ପରିବାରର ଅର୍ଥ ଏଠାରେ ହେଉଛି ଆବେଦନକାରୀ ଓ ତାଙ୍କ ପତି ବା ପତ୍ନୀ। ଆବେଦନକାରୀଙ୍କର ଉଦ୍ୟମୀ ପଞ୍ଜିକୃତ କିମ୍ବା ଉଦ୍ୟମୀ ସହାୟତା ନମ୍ବର ରହିବା ଆବଶ୍ୟକ।
ବ୍ୟାଙ୍କ କିମ୍ବା ଅନ୍ୟ କୌଣସି ଆର୍ଥିକ ଅନୁଷ୍ଠାନରୁ ଋଣ ନେଇ ଡିଫଲ୍ଟର ହୋଇଥିବା କିମ୍ବା କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ କୌଣସି ଯୋଜନାର ବକୈୟା ଋଣ ଥିଲେ, ଆବେଦନକାରୀଙ୍କୁ ଏହି ଯୋଜନାର ସୁବିଧା ମିଳିବ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାର କିମ୍ବା କୌଣସି ସରକାରୀ ଉଦ୍ୟୋଗର କର୍ମଚାରୀ ବା ସାମ୍ବିଧାନିକ ସଂସ୍ଥାର କର୍ମଚାରୀ ଏବଂ ତାଙ୍କ ପରିବାରଙ୍କୁ ଏହି ଋଣ ମିଳିବ ନାହିଁ। ପରିବାରର ଜଣେ ସଦସ୍ୟ ଏହି ସୁବିଧା ନେଇଥିଲେ ଅନ୍ୟ ସଦସ୍ୟ ଏହା ପାଇପାରିବେ ନାହିଁ।
ଏହି ଯୋଜନାରେ ରାଜ୍ୟ ସରକାର ଅଣୁ ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ଉପଲବ୍ଧ ୮୫ ପ୍ରତିଶତ ଋଣ ଗ୍ୟାରେଣ୍ଟି ବ୍ୟତୀତ ଆହୁରି ୧୫ ପ୍ରତିଶତ ଋଣ ଗ୍ୟାରେଣ୍ଟି ପ୍ରଦାନ କରିବେ। ରାଜ୍ୟ ସରକାର ଋଣର ସମସ୍ତ ସୁଧ ଭାର ବହନ କରିବେ। ସିଜିଟିଏମଏସଇର ବାର୍ଷିକ ଗ୍ୟାରେଣ୍ଟି ଦେୟ ମଧ୍ୟ ରାଜ୍ୟ ସରକାର ବହନ କରିବେ। ଏଥିପାଇଁ ଆବେଦନକାରୀମାନଙ୍କୁ ଋଣ ପାଇଁ କୌଣସି ବନ୍ଧକ ବା ପ୍ରୋସେସିଂ ଦେବାକୁ ପଡିବ ନାହିଁ । ୪ ବର୍ଷରେ ଆବେଦନକାରୀମାନେ ମୂଳ ଋଣ ସୁଝି ପାରିବେ।