ଶ୍ରୀଜୀଉଙ୍କ ସ୍ନାନଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୁଧବାର ଗଲେ ଗୁରୁବାର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀଜୀଉଙ୍କ ସ୍ନାନଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ରକ୍ଷକ ଦଇତାପତି ମାନେ ଆଜି ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି। ସ୍ନାନଯାତ୍ରା, ଅଣସର, ଘୋଷଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଏହି ଦଇତାପତିମାନେ ମହାପ୍ରଭୁଙ୍କ ସେବାରେ ରହିବେ। ଏପଟେ ତିନିରଥର ବିଶ୍ୱକର୍ମା ଓ ଭୋଇ ସେବାୟତମାନେ ଆଜି ଦ୍ବିତୀୟ ଭୂଇଁ ଉଠାଇଛନ୍ତି।
ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଦେଉଳକୁ ପ୍ରବେଶ କରିଛନ୍ତି ଦଇତାପତି ସେବାୟତ। ସ୍ନାନଯାତ୍ରା ଠାରୁ ରଥଯାତ୍ରା ଓ ନିଳାଦ୍ରିବିଜେ ଯାଏଁ ଦିଅଁ ସେବା ସୁଯୋଗ ଦଇତାପତିଙ୍କ ପାଖରେ ରହିବ। ତେବେ ଗତବର୍ଷ ଭଳି ଭକ୍ତ ବିହୀନ ସ୍ନାନଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଆଜି ସଂଧ୍ୟା ଧୂପ ପରେ ଦଇତାପତି ମାନେ ମହାପ୍ରଭୁଙ୍କ ବାହୁଟକଣ୍ଟ ନୀତି କରିବେ। ସେହିପରି ସ୍ନାନଯାତ୍ରା ପହଣ୍ଡି ପାଇଁ କୋଠ ସୁଆଁସିଆ ମାନେ ରତ୍ନ ସିଂହାସନରେ ଚାରମାଳ ବାନ୍ଧିବେ। କାଲି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଦଇତାପତି ମାନେ ମହାପ୍ରଭୁଙ୍କ ସେନାପଟା ଲାଗି କରିବେ।
ଆଜି ଚମ୍ପକ ଦ୍ବାଦଶୀ ଅବସରରେ ମହାପ୍ରଭୁଙ୍କ ଗୁଆଲି ନୀତି ଅନୁଷ୍ଠିତ ହୋଇଛି। ଏଥିସହ ଆଜି ଶ୍ରୀକ୍ଷେତ୍ରରେ ଯଜ୍ଞ ନୃସିଂହଙ୍କ ଆବିର୍ଭାବ ଦିବସ ପାଳିତ ହୋଇଛି। (ଡବଲ ୱିଣ୍ଡୋ କରିବା) ଗୋଟିଏ ପଟେ ତିନିରଥର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଅନ୍ୟପଟେ ସ୍ନାନଯାତ୍ରାର ବେଶ ସରଞ୍ଜାମର ବି ପ୍ରସ୍ତୁତି ଚାଲିଛି। ଗତକାଲି ତିନିରଥର ପ୍ରଥମ ଭୂଇଁ ଟୁଙ୍ଗୁରା ହୋଇ ପାଖୁଡା ଲାଗିବା ସହ ଆଜି ଦ୍ବିତୀୟ ଭୂଇଁ କାମ ଶେଷ ହୋଇଛି। ବର୍ଷା ସତ୍ତ୍ବେ ମଧ୍ୟ ମହାରଣା ଓ ଭୋଇ ସେବକ ମାନେ ରଥନିର୍ମାଣ କାର୍ଯ୍ୟ ଜାରୀ ରଖିଛନ୍ତି। ସେପଟେ ମହାପ୍ରଭୁଙ୍କ ଗଜାନନ ବେଶ ପାଇଁ ରାଘବଦାସ ମଠ ଓ ଗୋପାଳତୀର୍ଥ ମଠରେ ବେଶ ପ୍ରସ୍ତୁତ ହେଉଛି।
ସ୍ନାନଯାତ୍ରା ପାଇଁ ଆସନ୍ତାକାଲି ରାତି ୧୦ ରୁ ୨୫ ତାରିଖ ଭୋର ୨ ଟା ପର୍ଯ୍ୟନ୍ତ ସହରର ବିଭିନ୍ନ ସ୍ଥାନ ଓ ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ୧୪୪ ଧାରା ଜାରି କରାଯିବ। ଶ୍ରୀମନ୍ଦିର ଆଖପାଖ ଅଞ୍ଚଳକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି।