ପୁରୀ ନାମ ସହ ଶ୍ରୀଜଗନ୍ନାଥ ନାମ ଯୋଡିବା କିଛି ଆବଶ୍ୟକତା ନାହିଁ

0

ପୁରୀ ନାମ ସହ ଶ୍ରୀଜଗନ୍ନାଥ ନାମ ଯୋଡିବା ପାଇଁ କିଛି ବ୍ୟକ୍ତି ଓ ଅନୁଷ୍ଠାନ ହୀନ ଉଦ୍ୟମ ଚଳାଇଥିବା ସୋସିଆଲ ମିଡିଆ ମାଧ୍ୟମରେ ଜାଣିବା ପରେ ଏହାର ତୀବ୍ର ପ୍ରତିବାଦ କରିଛନ୍ତି ପୁରୀ ନାମ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି। ସାଂପ୍ରତିକ ସମୟରେ ଏସବୁର ଆବଶ୍ୟକତା ନଥିବାବେଳେ ରାଜ୍ୟ ସରକାର ମଧ୍ୟ ଏ ନେଇ କୌଣସି ପ୍ରସ୍ତାବ ରଖିନାହାନ୍ତି। ପୁରୀ ସହରବାସୀଙ୍କ ସହ ଆଲୋଚନା ନକରି ହଠାତ୍ କିଛି ବ୍ୟକ୍ତି ରାଜନୈତିକ ଉଦ୍ଦେଶ୍ୟ କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟ ରଖି ଗତ କିଛିଦିନ ହେବ ଉଦ୍ୟମ କରୁଛନ୍ତି ଉଦବେଗ ପ୍ରକାଶ କରିଛି ପୁରୀ ନାମ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି।

କେନ୍ଦ୍ର ରେଳମନ୍ତ୍ରୀ କିଭଳି ପୁରୀ ରେଳଷ୍ଟେସନର ନାମ ପରିବର୍ତ୍ତନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ୫୦ରୁ ଅଧିକ ଅନୁଷ୍ଠାନ। ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ପୁରୀ ଆସିବା ପୂର୍ବରୁ ରାଜ୍ୟ ସରକାର ନିରବ ନରହି ପୁରୀ ସମ୍ପର୍କରେ ସ୍ପଷ୍ଟ କରନ୍ତୁ ବୋଲି ପୁରୀ ନାମ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଛି। ଆସନ୍ତାକାଲି ଅପରାହ୍ନରେ ପୁରୀ ସହରବାସୀଙ୍କୁ ସଚେତନ କରାଇବା ପାଇଁ ଜନସମ୍ପର୍କ ଯାତ୍ରା ଗୁଣ୍ଡିଚା ଘର ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ପଦଯାତ୍ରା କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି।

ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ପୁରୀ ନାମ ପରିବର୍ତ୍ତନ ର କୌଣସି ଯଥାର୍ଥତା ନାହିଁ। ଜଗନ୍ନାଥ ଧାମ କହିଲେ ପୁରୀ କୁ ବୁଝାଏ। ନାମ ପରିବର୍ତ୍ତନ ସଂକ୍ରାନ୍ତରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

Leave a comment