ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଦାରଖ ଗୃହ କମିଟି

0

ଭୁବନେଶ୍ୱର : ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବିଧାନସଭାରେ ହଟ୍ଟଗୋଳ ହେବା ସହ ଗୃହ କମିଟି ଗଠନ କରି ଏହାର ଅନୁଧ୍ୟାନ ପାଇଁ ବିରୋଧୀ ସଦସ୍ୟମାନେ ଦାବି କରିଥିଲେ। ଆଜି ବିଧାନସଭାର ବିଭିନ୍ନ କମିଟି ଗଠନ କରାଯିବା ବେଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ତଦାରଖ ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ କରାଯାଇଛି। ଏଥିରେ ଆଇନମନ୍ତ୍ରୀ ପ୍ରତାପ ଜେନା, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଦେବୀ ପ୍ରସାଦ ମିଶ୍ର ଓ ଅତନୁ ସବ୍ୟସାଚୀ ନାୟକ ସଦସ୍ୟ ଅଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୨୯ ତାରିଖରେ ବିକାଶ କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ଚାରିପଟେ ଖୋଳାଯାଉଥିବାରୁ ଏଥିପାଇଁ ଶ୍ରୀମନ୍ଦିର ପ୍ରତି ବିପଦ ଦେଖାଦେଇଥିବା ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଉଦବେଗ ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗରେ ଗୃହ କମିଟି ଗଠନ କିମ୍ବା ମନ୍ତ୍ରୀ ଉତ୍ତର ରଖିବା ପାଇଁ ସେମାନେ ଦାବି କରିଥିଲେ। ବିଜେପି ସଭ୍ୟମାନେ ଦାବି ଦୋହରାଇ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଦୀର୍ଘ ସମୟ ଧରି ଗୃହ ମୁଲତବୀ ରହିଥିଲା। ୩୧ ତାରିଖରେ କମିଟି ଗଠନ ବେଳେ ଶ୍ରୀମନ୍ଦିର ପାଇଁ ଗୃହ କମିଟି ଗଠନ ସମ୍ପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିବୃତ୍ତି ରଖିଥିଲେ। କମିଟି ଗଠନ ହୋଇଛି।

Leave a comment