କ୍ରୀଡାର ବିକାଶ ପାଇଁ ସର୍ବୋତ୍ତମ ରାଜ୍ୟ ଭାବରେ ଓଡିଶା ସମ୍ମାନିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ‘ସ୍ପୋର୍ଟ ଷ୍ଟାର’ କ୍ରୀଡା ପତ୍ରିକା ପକ୍ଷରୁ ମୁମ୍ବାଇରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଖେଳର ବିକାଶ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ହିନ୍ଦୁ ଗ୍ରୁପ ପକ୍ଷରୁ ପ୍ରଥମ ଥର ପାଇଁ ଏକ ରାଜ୍ୟକୁ କ୍ରୀଡାର ସାମଗ୍ରିକ ବିକାଶ ପାଇଁ ଦୂରଦୃଷ୍ଟି, ସମ୍ବଳ ସଂଗ୍ରହ ଏବଂ ନୀତି କାର୍ଯ୍ୟାନ୍ବୟନ କ୍ଷେତ୍ରରେ ପୁରସ୍କାର ପ୍ରଦାନ କରାଯାଇଛି । ଓଡିଶା ଏଥିରେ ‘ଷ୍ଟେଟ ଅଫ ଦ ୟର ଫର ଦ ପ୍ରମୋସନ ଅଫ ସ୍ପୋର୍ଟ’ ପୁରସ୍କାର ପାଇଛି। ଏହି ସମ୍ମାନ ବିଶ୍ୱ ଚେସ୍ ଚମ୍ପିୟାନ୍ ବିଶ୍ୱନାଥନ ଆନନ୍ଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି ।
ଏହି ପୁରସ୍କାର ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି, ” ସାଧାରଣତଃ ମନ୍ତ୍ରୀମାନେ କ୍ରୀଡା ପୁରସ୍କାର ପ୍ରଦାନ କରିଥାନ୍ତି । କିନ୍ତୁ ଆଜି ହେଉଛି ଏକ ବ୍ୟତିକ୍ରମ। ଆଜି ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେ ଯେ ମୁଁ ଏଠାରେ କ୍ରୀଡା ପାଇଁ ପୁରସ୍କାର ଗ୍ରହଣ କରୁଛି । ରାଜନୀତି କ୍ରୀଡା ଠାରୁ ବିଶେଷ ଅଲଗା ନୁହେଁ। ଆମକୁ ଦୌଡିବା, ଡେଇଁବା, ଧରିବା, ଫୋପାଡିବା ଆଦି ସବୁକିଛି କରିବାକୁ ପଡିଥାଏ । ବେଳେ ବେଳେ ଆପଣ ଜାଣିପାରିବେ ନାହିଁ, ଆପଣ କେଉଁ ଦିଗରେ ଦୌଡୁଛନ୍ତି । ବେଳେ ବେଳେ ଆପଣ ଫୋପାଡିବେ ଏବଂ ବେଳେ ବେଳେ ଅନ୍ୟମାନେ ଆପଣଙ୍କୁ ଫୋପାଡି ଦେବେ ।
ପ୍ରତିଯୋଗିତା ମନୋଭାବ ହିଁ ରାଜନୀତି ଓ ଖେଳ ଉଭୟ କ୍ଷେତ୍ରରେ ସଫଳତାର ମାନକ । ଏହାର ଏକ ସୁନ୍ଦର ଉଦାହରଣ ମୁଁ ଦେବାକୁ ଚାହେଁ। ଆମେ ନିଷ୍ପତ୍ତି କଲୁ, ଯେ ଓଡିଶାରେ ସବୁ କଚା ଘରକୁ ଆମେ ପକ୍କା ଘରରେ ପରିଣତ କରିବୁ । ସାଧାରଣତଃ ଆମେ ୫ ବର୍ଷରେ ୫ ଲକ୍ଷ ଘର ନିର୍ମାଣ କରୁଥିଲୁ । ତେଣୁ ୫ ବର୍ଷରେ ୨୦ ଲକ୍ଷ ଘର ତିଆରି କରିବା ଆମ ପାଇଁ ଏକ ଆହ୍ବାନ ଥିଲା। ଏଥିପାଇଁ ଆମର ଫଳପ୍ରଦ କୌଶଳ ହେଲା, ଜିଲ୍ଲା ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରିବା । ସଫଳ ଜିଲ୍ଲା ମାନଙ୍କୁ ସ୍ବୀକୃତି, ପ୍ରତିଯୋଗିତାକୁ ଆହୁରି ଜୋରଦାର କଲା । ଫଳସ୍ବରୂପ, ଆମେ ନିର୍ଦ୍ଦିଷ୍ଟ ସମୟରେ ରେକର୍ଡ ସଂଖ୍ୟକ ୨୦ ଲକ୍ଷ ଲୋକଙ୍କୁ ଆଶ୍ରୟ ନିରାପତ୍ତା ଦେଇପାରିଲୁ । ତେଣୁ କ୍ରୀଡାର ବିକାଶ ପାଇଁ ରାଜ୍ୟ ମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତାମୂଳକ ପରିବେଶ ସୃଷ୍ଟି କରିଥିବାରୁ ଆଜି ମୁଁ ହିନ୍ଦୁ ଖବର କାଗଜକୁ ଅଭିନନ୍ଦନ ଜଣାଉଛି । ମିଃ ରାମ, ମୁଁ ଆଶା କରୁଛି, ଆଗାମୀ ଦିନରେ ପ୍ରତିଯୋଗିତା ଅଧିକ ତୀବ୍ର ହେବ ।
ଓଡିଶାରେ ହକି ପରି ପ୍ରତ୍ୟେକ ରାଜ୍ୟ ଏବଂ ଏହାର ବାସିନ୍ଦାମାନେ ଏକ ନିର୍ଦ୍ଦିଷ୍ଟ ଖେଳ ପ୍ରତି ବିଶେଷ ଆଗ୍ରହ ଦେଖାଇଥାନ୍ତି । ଏକ ଅଭିନବ ପଦକ୍ଷେପ ଭାବରେ, ଓଡିଶା ସରକାର ଉଭୟ ଜାତୀୟ ପୁରୁଷ ଓ ମହିଳା ହକି ଦଳର ସରକାରୀ ପ୍ରାୟୋଜକ ଦାୟିତ୍ବ ନେଇଛନ୍ତି । ମୁଁ ଭାବୁଛି, ଆଲମ୍ପିକ ପଦକ ମଞ୍ଚରେ ଭାରତୀୟ ଜାତୀୟ ସଂଗୀତ ବାଦନ ପାଇଁ ଆମକୁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ହେବ ନାହିଁ । ଏହି ସ୍ବୀକୃତି ପାଇଁ ସମ୍ମାନନୀୟ ଜୁରୀ ମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି ଏବଂ ଏହି ପୁରସ୍କାରକୁ ରାଜ୍ୟର ସାଢେ ଚାରି କୋଟି କ୍ରୀଡାପ୍ରେମୀ ଜନତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛି ।”