ତିତଲି ପ୍ରଭାବିତଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କଲେ ପ୍ୟାକେଜ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ‘ତିତଲି’ ଜନିତ କ୍ଷୟକ୍ଷତିର ଆକଳନ ପରେ ରାଜ୍ୟ ସରକାର ପ୍ରଭାବିତ ଲୋକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ସେହିପରି ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାରଙ୍କ ଟିମ୍ ମଧ୍ୟ ଗତକାଲି ରାତିରେ ଓଡ଼ିଶାରେ ଆସି ପହଞ୍ଚଛନ୍ତି ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି କ୍ଷତିପୂରଣ ପ୍ୟାକେଜ୍ ଘୋଷଣା ହୋଇଛି । ଚଳିତବର୍ଷ ଫସଲ ଋଣ ଶୁଝିବା ଅବଧିକୁ ୨୦୧୯ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି, ଚାଷୀଙ୍କ ପାଇଁ ଇନପୁଟ ସବସିଡି ସହ ୨୦୧୮ ଖରିଫର ସ୍ୱଳ୍ପମିଆଦୀ ଋଣକୁ ମଧ୍ୟମ ମିଆଦୀକୁ ପରିବର୍ତ୍ତନ କରାଯିବା ସହ ଖଜଣା ଓ ଜଳକର ସମ୍ପୂର୍ଣ୍ଣ ଛାଡ଼ ଆଦି ଘୋଷଣା କରାଯାଇଛି । ଏସବୁ ସହାୟତା ପାଇବା ପାଇଁ ଅତିକମରେ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା ଜରୁରୀ । ଏହାବ୍ୟତୀତ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଥିବା ହାଇସ୍କୁଲ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସମସ୍ତ ଦେୟ ଓ ପରୀକ୍ଷା ଫି ଛାଡ଼ ସହ ପ୍ରାଥମିକ ସ୍କୁଲର ପିଲାମାନଙ୍କୁ ମାଗଣାରେ ଅତିରିକ୍ତ ଦୁଇହଳ ସ୍କୁଲ ୟୁନିଫର୍ମ ଓ ପାଠ୍ୟପୁସ୍ତକ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

୩୩ ପ୍ରତିଶତ ବା ଅଧିକ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ଅଣ ଜଳସେଚିତ ଚାଷ ଜମି ପାଇଁ ହେକ୍ଟର ପିଛା ୬୮୦୦ଟଙ୍କା ଓ ଜଳସେଚିିତ ଜମି ପାଇଁ ୧୩,୫୦୦ ଟଙ୍କା, ସବୁଦିନିଆ ଫସଲ କ୍ଷେତ୍ରରେ ହେକ୍ଟର ପିଛା ୧୮ହଜାର ଟଙ୍କାର ଇନପୁଟ ସବସିଡି ପ୍ରକୃତ ଚାଷୀଙ୍କୁ ହିଁ ଦିଆଯିବ। ଏସବୁ ଇନପୁଟ ସବସିଡି ସବୁଦିନିଆ ଫସଲ କ୍ଷେତ୍ରରେ ଅତିକମରେ ୨ହଜାର ଟଙ୍କା ଓ ଅନ୍ୟାନ୍ୟ ଫସଲ ପାଇଁ ହଜାରେ ଟଙ୍କାରୁ କମ୍ ହେବ ନାହିଁ। ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ୨ଲକ୍ଷ ସ୍ୱତନ୍ତ୍ର ମିନି କିଟ୍ (୧ଲକ୍ଷ ୨୦ହଜାର ଡାଲି ଜାତୀୟ ଶସ୍ୟବୀଜ, ୩୦ହଜାର ତୈଳବୀଜ,୫୦ହଜାର ପନିପରିବା ମଞ୍ଜି କିଟ୍)ଯୋଗାଇ ଦିଆଯିବ। କ୍ଷତିଗ୍ରସ୍ତ ଗୁହାଳର ପୁନରୁଦ୍ଧାର ପାଇଁ ୧୦ହଜାର ଚାଷୀଙ୍କୁ ୧.୧୩ଲକ୍ଷ ଟଙ୍କା ଲେଖାଏ, ଛେଳି ଗୁହାଳ ପୁନରୁଦ୍ଧାର ପାଇଁ ୧୦ହଜାର ଚାଷୀଙ୍କୁ ୪୪ହଜାର ଟଙ୍କା ଲେଖାଏ, କୁକୁଡ଼ା ପାଳନ ଫାର୍ମ ପାଇଁ ୨୦ହଜାର ଟଙ୍କା ଲେଖାଏ ସହାୟତା ମିଳିବ।

Leave a comment