ସମାଜସେବା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଓ ଉନ୍ନତି ଆଣିପାରିଲେ ଜାତୀୟ ସେବା ଯୋଜନା ଗଠନର ଲକ୍ଷ୍ୟ ସାଧିତ ହୋଇପାରିବ – ଅରୁଣ ସାହୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭାରତବର୍ଷର ବୃହତ ଯୁବଶକ୍ତିକୁ ଦେଶ ଗଠନରେ ନିୟୋଜିତ କରିବାକୁ ହେଲେ ସେମାନଙ୍କ ମଧ୍ୟରେ ଭ୍ରାତୃତ୍ୱବୋଧ, ଜାତୀୟତା ଭାବ ଓ ସମାଜସେବା ଆଦି ଗୁଣର ବିକାଶ କରିବାକୁ ପଡ଼ିବ । ସମାଜସେବା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଓ ଉନ୍ନତି ଆଣିପାରିଲେ ଜାତୀୟ ସେବା ଯୋଜନା ଗଠନର ଲକ୍ଷ୍ୟ ସାଧିତ ହୋଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।
ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ରାଜ୍ୟ ଜାତୀୟ ସେବା ଯୋଜନା ସେଲ୍ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ସେବା ଯୋଜନା ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁ କହିଲେ ଯେ ମାନବସମ୍ବଳ ହିଁ ଦେଶର ପ୍ରକୃତି ସଂପଦ ଓ ଏହାର ବିକାଶରେ ଦେଶର ବିକାଶ ହୋଇଥାଏ। ସ୍ୱାଧୀନତା ଆନ୍ଦୋଳନ ସମୟରେ ଗାନ୍ଧୀଜୀ ସେ୍ୱଚ୍ଛାକୃତ ସେବାର ଯେଉଁ ଉଦାହରଣ ସୃଷ୍ଟି କରିଥିଲେ ତା’ର ପ୍ରାସଙ୍ଗିକତା ଆଜି ମଧ୍ୟ ରହିଛି ବୋଲି ମନ୍ତ୍ରୀ କହିବା ସହିତ ମନ ଭିତରେ ଗୋଷ୍ଠୀଗତ ଭାବନା ଉଦ୍ରେକ ହୋଇପାରିଲେ ସମାଜରେ ଦେଖା ଦେଉଥିବା ଅନେକ ଅସଂଗତି ଦୂର ହୋଇପାରିବ ବୋଲି କହିଥିଲେ। ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପାଳନ ଅବସରରେ ଏପରି ଉତ୍ସବ ଆୟୋଜନ ଅଧିକ ମହତ୍ତ୍ୱ ରଖେ ବୋଲି ସେ କହିଥିଲେ। ଯୁବକ ଅବସ୍ଥାରେ ମନ ମଧ୍ୟରେ ସମାଜସେବା ଭାବନା ସୃଷ୍ଟି କରାଯାଇପାରିଲେ ଭବିଷ୍ୟତରେ ସେମାନେ ଯେକୌଣସି ବୃତ୍ତିରେ ଥିଲେ ମଧ୍ୟ ସେମାନଙ୍କର କାର୍ଯ୍ୟ ସର୍ବଦା ସମାଜକଲ୍ୟାଣ ଲାଗି ପ୍ରେରିତ ହେବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ। ଏଥି ସହିତଶିକ୍ଷାନୁଷ୍ଠାନରେ ଅଧିକରୁ ଅଧିକ ସେ୍ୱଚ୍ଛାସେବୀ ସୃଷ୍ଟି ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଥିଲେ।
ଉତ୍ସବରେ ଅଧ୍ୟକ୍ଷତା କରି ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ସମାଜସେବା କାର୍ଯ୍ୟ ନିଜ ନିଜ ଶିକ୍ଷାନୁଷ୍ଠାନ ପରିସରରୁ ଆରମ୍ଭ ହେବା ଉପରେ ଗୁରୁତ୍ୱ ଦେଇଥିଲେ । ନିଜର ଶିକ୍ଷାନୁଷ୍ଠାନ, ଛାତ୍ରାବାସ ଆଦିର ପରିସର ସ୍ୱଚ୍ଛ ଓ ନିର୍ମଳ ରଖିବାର ମାନସିକତାର ପ୍ରତ୍ୟେକ ଛାତ୍ରଛାତ୍ରୀ ମଧ୍ୟରେ ସୃଷ୍ଟି କରିବାକୁ ପଡ଼ିବ । ଶିକ୍ଷାନୁଷ୍ଠାନ ପରିସରରେ ବୃକ୍ଷରୋପଣ କରାଯାଇ ପରିସରକୁ ସବୁଜସୁନ୍ଦର ରଖାଯାଇପାରିବ। ଏଥିସହିତ ନିଶା ନିବାରଣ ଆଦି ସଚେତନତା କାର୍ଯ୍ୟକ୍ରମ ଏନ୍ଏସ୍ଏସ୍ ସେ୍ୱଚ୍ଛାସେବୀମାନଙ୍କ ଦ୍ୱାରା କରାଯାଇପାରିଲେ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ସେ କହିଥିଲେ । ସଂପ୍ରତି କୋଭିଡ୍-୧୯ ପରିପ୍ରେକ୍ଷୀରେ ସେ୍ୱଚ୍ଛାସେବୀମାନେ କୋଭିଡ୍ ସ୍ଥିତି ସଂପର୍କରେ ସମସ୍ତଙ୍କୁ ସଚେତନ କରି ଅଧିକ ସତର୍କତା ଅବଲମ୍ବନ କରିବା ଉପରେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ । ଭାରତ ସରକାରଙ୍କ ଜାତୀୟ ସେବା ଯୋଜନାର ଆଞ୍ଚଳିକ ନିର୍ଦ୍ଦେଶାଳୟର ଆଞ୍ଚଳିକ ନିର୍ଦ୍ଦେଶକ ସୁଶ୍ରୀ ସରିତା ପଟେଲ କହିଲେ ଯେ ପୁରସ୍କାର ଓ ସମ୍ବର୍ଦ୍ଧନା ସର୍ବଦା ପ୍ରେରଣାଦାୟୀ । ଏହି ପୁରସ୍କାର ଏନ୍ଏସ୍ଏସ୍ ସେ୍ୱଚ୍ଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀମାନଙ୍କୁ ଅଧିକ ଭଲ କାମ କରିବା ପାଇଁ ନିଶ୍ଚିତ ରୂପେ ଉତ୍ସାହିତ କରିବ ଓ ଅନ୍ୟମାନଙ୍କ ପାଇଁ ପଥପ୍ରଦର୍ଶକ ହୋଇପାରିବ । ଜାତୀୟ ସ୍ତରରେ ଓଡ଼ିଶାର ଏନ୍ଏସ୍ଏସ୍ ସେ୍ୱଚ୍ଛାସେବୀ ଏବଂ କାର୍ଯ୍ୟକ୍ରମ ଅଧିକାରୀମାନେ ପ୍ରଶଂସିତ ହେବା ନିଶ୍ଚିତ ଭାବେ ଗୌରବର ବିଷୟ ବୋଲି ସେ କହିଥିଲେ। ରାଜ୍ୟ ଜାତୀୟ ସେବା ଯୋଜନା ଅଧିକାରୀ ତଥା ଉଚ୍ଚଶିକ୍ଷା ବିଭାଗର ଉପଶାସନ ସଚିବ ଡ. ସୁରେଖା ସୁନ୍ଦରୀ ସ୍ୱାଇଁ ସ୍ୱାଗତ ଭାଷଣ ଦେବା ଅବସରରେ ଏନ୍ଏସ୍ଏସ୍ର ଆଭିମୁଖ୍ୟ ଓ ଏହାର
ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ଓଡ଼ିଶାର ୨୧ଟି ବିଶ୍ୱବିଦ୍ୟାଳୟ, ଯୁକ୍ତ-୨ କାଉନ୍ସିଲ୍ ଏବଂ ନବୋଦୟ ବିଦ୍ୟାଳୟ ଆଦିରେ ୧ ଲକ୍ଷ ୧୫ ହଜାର ୫୦୦ ସେ୍ୱଚ୍ଛାସେବୀ ଛାତ୍ରଛାତ୍ରୀ ସାମିଲ ହୋଇ ବିଭିନ୍ନ ସାମାଜିକ ସେବା କାର୍ଯ୍ୟକ୍ରମ ସଂପାଦନ କରୁଛନ୍ତି ବୋଲି ସେ କହିଥିଲେ । ଉତ୍ସବରେ ୨୦୧୮-୧୯ ବର୍ଷ ନିମନ୍ତେ ୧୨ ଜଣ ସେ୍ୱଚ୍ଛାସେବୀ ଓ ଆଠ ଜଣ କାର୍ଯ୍ୟକ୍ରମ
ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥିବାବେଳେ ୨୦୧୯-୨୦ ବର୍ଷ ନିମନ୍ତେ ୧୨ ଜଣ ଏନ୍ଏସ୍ଏସ୍ ସେ୍ୱଚ୍ଛାସେବୀ ଓ ୧୦ ଜଣ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥିଲା ।