ରାତି ପାହିଲେ ସ୍ନାନ ପୂର୍ଣ୍ଣିମା: ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ

0

(ଓଡ଼ିଶାଫାଷ୍ଟ ବ୍ୟୁରୋ): ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ସ୍ନାନ ନୀତି କରିବା ସହ ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ । ରତ୍ନବେଦୀ ଛାଡି ସ୍ନାନ ବେଦୀକୁ ଆସିବେ ମହାପ୍ରଭୁ । ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଆଣିବେ ଦଇତାପତି ଓ ସେବାୟତ । ରାତି ୧ଟାରୁ ଭୋର ୪ଟା ମଧ୍ୟରେ ସ୍ନାନମଣ୍ଡପ ବିଜେ । ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବିନା ଭକ୍ତରେ ସ୍ନାନ ପୂର୍ଣିମା ନୀତି କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ, ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଲାଗୁ ହୋଇଛି ୧୪୪ଧାରା । ତେବେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ସ୍ନାନଯାତ୍ରା ଏବଂ ରଥଯାତ୍ରା ଭକ୍ତଶୂନ୍ୟ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ସମୟରେ ଲୋକମାନଙ୍କର ଭାବାବେଗକୁ ଦୃଷ୍ଟିରେ ରଖି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରାର ସିଧା ପ୍ରସାରଣ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡିଡି ଓଡିଆ ସହାୟତାରେ କମନ୍‌ ଫିଡ୍‌ ବିଭିନ୍ନ ଟିଭି ଚ୍ୟାନେଲ୍‌ ଏବଂ ୱେବ୍‌ ମିଡିଆ ସଂସ୍ଥାକୁ ପ୍ରଦାନ କରାଯିବ । ଏହା ସହିତ ସୂଚନା ଓ ଲୋକସମ୍ପର୍କ ବିଭାଗର ୟୁଟ୍ୟୁବ୍‌ ଚ୍ୟ଼ାନେଲରେ ମଧ୍ୟ କାର୍ଯ୍ୟକ୍ରମକୁ ଲୋକମାନେ ଲାଇଭ୍‌ ଦେଖିପାରିବେ ।

Leave a comment