ପୁଅକୁ ବଞ୍ଚାଇବାକୁ ଯାଇ ସାପ ଚୋଟରେ ଆଖି ବୁଝିଲା ମା’

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଜଣେ ମାଆ ନିଜ ପୁଅକୁ ବିପଦରୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲାଗାଇ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଯାଜପୁର ଦଶରଥପୁର ବ୍ଲକ ତଳିହା ପଞ୍ଚାୟତ ଦେଉଳବାଡ ଗ୍ରାମରେ ।
ସୂଚନା ଥାଉକି, ଦଶରଥପୁର ବ୍ଲକ ରାହାସୋଇ ଗ୍ରାମ ବନମାଳି ଜେନାଙ୍କ ୨୫ ବର୍ଷୀୟ ଝିଅ ପ୍ରୀୟଦର୍ଶିନୀ ୨୦୧୯ ଏପ୍ରିଲ ମାସ ସେହି ବ୍ଲକ ତଳିହା ପଞ୍ଚାୟତ ଦେଉଳବାଡ ଗ୍ରାମର ଚିନ୍ମୟ ରାଉତଙ୍କୁ ବିବାହ କରିଥିଲେ । ୨୦୨୦ ମଇ ମାସରେ ଉଭୟଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ପ୍ରିୟଦର୍ଶିନୀଙ୍କ ଏହି ଖୁସିର ସଂସାରରେ ଯେପରି କାହାରି ନଜର ଲାଗିଗଲା । ପୁଅକୁ ଶୁଆଇ ଦେଇ ଘର କାମରେ ବ୍ୟସ୍ତଥିବା ମା’ ପ୍ରୀୟଦର୍ଶିନୀ କିଛି ସମୟ ପରେ ପୁଅ ଶୋଇବା ଘରକୁ ଆସି ଦେଖନ୍ତି ତ ଏକ ବିଷାକ୍ତ ନାଗ ସାପ ପୁଅ ନିକଟକୁ କ୍ଷିପ୍ରଗତିରେ ମାଡି ଚାଲିଛି । ବିପଦ ପୁଅର ଅତି ନିକଟରେ ପହଞ୍ଚିବାର ଦେଖି ମା’ ପ୍ରୀୟଦର୍ଶିନୀ ପୁଅକୁ ବଞ୍ଚାଇବାକୁ ଯାଇ ନାଗ ସାପଟିକୁ ହାତରେ ଧରି ଟାଣିଆଣିବା ସମୟରେ ସାପଟି ପ୍ରୀୟଦର୍ଶିନୀଙ୍କ ଡାହାଣ ହାତକୁ ଚୋଟ ମାରିଥିଲା ।
ସାପ କାମୁଡିବା ପରେ ପ୍ରିୟଦର୍ଶିନୀଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟଚିକିତ୍ସାଳୟକୁ ନେଇ ଯାଉଥିବା ରାସ୍ତାରେ ତାଙ୍କର ପ୍ରାଣ ବାୟୁ ଉଡିଯାଇଥିଲା । ଏହି ଖବର ଜଣାପଡିବା ପରେ ଦେଉଳବାଡ ଗାଁ ସମେତ ସମଗ୍ର ଦଶରଥପୁର ବ୍ଲକ ଅଞ୍ଚଳରେ ସୋକର ଛାୟା ଖେଳି ଯାଇଛି । ମା’ ନିଜ ସନ୍ତାନ ପାଇଁ ମୃତ୍ୟୁବରଣ କରିବାକୁ ମଧ୍ୟ ପଛ ଘୁଞ୍ଚା ଦେଇନଥାଏ ବୋଲି ଆଜି ତାକୁ ପ୍ରୀୟଦର୍ଶିନୀ ପ୍ରମାଣ କରି ଦେଖାଇଛନ୍ତି । ସମସ୍ତଙ୍କ ମୁହଁରେ ଦୁଃଖ ଥିଲେ ସୁଦ୍ଧା ମାର ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି । ସେଥିପାଇଁ କଥାରେ ଅଛି ମାଠୁ ବଡ କେହି ନୁହନ୍ତି । ମାସବୁ କିଛି ପିଲାଙ୍କ ପାଇଁ କରିପାରେ ।