ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ପିନାକୀ-ସମ୍ବିତ୍ ମୁହାଁମୁହିଁ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଜିପିଆର୍ଏସ୍ ସର୍ଭେ ନକରାଯାଇ ପୁରୀରେ ଖନନ ପ୍ରକ୍ରିୟା ହୋଇଥିବାର ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ସେଠାରେ ଜିପିଆର୍ଏସ୍ ସର୍ଭେ କରାଯାଇଥିଲା । ରାଜ୍ୟ ସରକାର ହାଇକୋର୍ଟଙ୍କ ଆଗରେ ଏନେଇ ସତ୍ୟପାଠ ଦାଖଲ କରିବେ। ଯେଉଁମାନେ ପରିକ୍ରମା ପ୍ରକଳ୍ପ କାମରେ ବିଘ୍ନ ସୃଷ୍ଟି କରିବା ଲାଗି ଚେଷ୍ଟିତ ଅଛନ୍ତି, ସେମାନେ କେବଳ ଧୈର୍ଯ୍ୟ ଧରନ୍ତୁ ଏବଂ ଖରାପ୍ ଚିନ୍ତାଧାରାକୁ ମନରୁ ଯଥାସମ୍ଭବ ଦୂରେଇ ରଖନ୍ତୁ ବୋଲି ପୁରୀ ସାଂସଦ ପିନାକୀ ମିଶ୍ର କହିଛନ୍ତି।
ଜିପିଆର୍ଏସ୍ ସର୍ଭେର କିଛି ଡକ୍ୟୁମେଣ୍ଟ ସେୟାର କରି ପିନାକୀ ଟ୍ୱିଟ୍କରି କହିଛନ୍ତି, ବର୍ତ୍ତମାନ ହାଇକୋର୍ଟରେ ଏହି ମାମଲା ବିଚାରାଧୀନ ଅଛି। ଏଣୁ ମୁଁ ଅଧିକ ତଥ୍ୟ ଦେବାକୁ ଚାହୁଁନାହିଁ। କାରଣ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ସତ୍ୟପାଠ ସମସ୍ତ ସନ୍ଦେହକୁ ସ୍ପଷ୍ଟକରିବ। ତଥାପି, ଯେଉଁ ରାଜନେତାମାନେ ଲୋକମାନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହୋଇଛନ୍ତି ଏବଂ ଯେଉଁମାନେ କୌଣସି ପ୍ରକାରେ ମନ୍ଦିର କାର୍ଯ୍ୟକୁ ବନ୍ଦ କରିବାକୁ ଚାହୁଁଛନ୍ତି, ସେମାନେ କେବେ ବି ସନ୍ତୁଷ୍ଟ ହୋଇପାରିବେ ନାହିଁ। ଯେହେତୁ ସେମାନେ ଭୟ କରୁଛନ୍ତି ଯେ ଶ୍ରୀମନ୍ଦିର ପ୍ରକଳ୍ପର ସଫଳତା ୨୦୨୪ ମସିହାରେ ହେବାକୁ ଥିବା ନିର୍ବାଚନରେ ବ୍ୟକ୍ତିଗତ ଭାବେ ସେମାନଙ୍କ ପାଇଁ ଖରାପ ଖବର ହେବ। ଅନ୍ତତଃପକ୍ଷେ ଶ୍ରୀମନ୍ଦିର କ୍ଷେତ୍ରରେ ଖରାପ କଥା ଚିନ୍ତା ନକରିବାକୁ ମୁଁ ଏଭଳି ରାଜନେତାଙ୍କୁ ଦଳ ଏବଂ ବ୍ୟକ୍ତିଗତସ୍ତରରୁ ଉପରକୁ ଉଠି ଚିନ୍ତା କରିବାକୁ ଅନୁରୋଧ କରିବି। ଯେଉଁମାନେ ପୁରୀର ବିକାଶକୁ ଅଟକାଇବାକୁ ଚେଷ୍ଟା କରିବେ, ଇତିହାସ ସେମାନଙ୍କୁ କ୍ଷମା ଦେବନାହିଁ । ସେମାନେ କେବଳ ସ୍ୱାର୍ଥପର, ଲୋଭୀ ଏବଂ ପ୍ରତାରକ ଭାବେ ମନେରହିବେ ବୋଲି ପିନାକୀ କହିଛନ୍ତି। ବିଜେପି ନେତା ସମ୍ବିତ୍ ପାତ୍ରଙ୍କ ନାଁ ନନେଇ ସେ ଏଭଳି ଢଙ୍ଗରେ ତିର୍ଯ୍ୟକ୍ ବାଣ ମାରିଛନ୍ତି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିକୁ ନେଇ ଯେଉଁଭଳି ଭାବେ ବେନିୟମ କାର୍ଯ୍ୟ କରାଯାଉଛି, ତାହା ଅତ୍ୟନ୍ତ ଦୁଃଖଦାୟକ । ଏହି ପ୍ରକଳ୍ପ ଆରମ୍ଭ ସମୟରେ ପୁରାତନ ଐତିହ୍ୟ ଧ୍ୱଂସ ପାଇବାର ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହା ଆଜି ସତ୍ୟ ପ୍ରମାଣିତ ହୋଇଛି। ଇତିହାସ, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାର ସୁରକ୍ଷା ଦାୟିତ୍ୱ ହେଉଛି ଆମ ସମସ୍ତଙ୍କର। ଏହାକୁ ସୁରକ୍ଷିତ ରଖିନପାରିଲେ ଭବିଷ୍ୟତ ପିଢ଼ି କେବେହେଲେ ଆମକୁ କ୍ଷମା କରିବେ ନାହିଁ ବୋଲି ଆଜି ନୂଆଦିଲ୍ଲୀ ଠାରେ ସାମ୍ବାଦିକ ସମ୍ମିଳନୀ ଡକାଇ କହିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ୍ ପାତ୍ର।
ଡ. ପାତ୍ର କହିଛନ୍ତି,ଶ୍ରୀମନ୍ଦିରର ୧୦୦ ମିଟର ପରିଧି ଭିତରେ ଥିବା ଏମାର ମଠର ଭଗ୍ନାବଶେଷ ସ୍ୱରୁପ ସିଂହମୂର୍ତ୍ତି ଭଗ୍ନାବସ୍ଥାରେ ମିଳିବା ଚିନ୍ତାର ବିଷୟ। ଏଏସ୍ଆଇ ବାରମ୍ବାର ତାଗିଦ୍ କରିବା ସତ୍ତ୍ୱେ ରାଜ୍ୟ ସରକାରଙ୍କ କଳାପାହାଡ଼ ଆଚରଣ ଏବଂ ଜିଦଖୋର ମନୋଭାବ କାରଣରୁ ସିଂହମୂର୍ତ୍ତି ଭଗ୍ନ ଅବସ୍ଥାରେ ଉଦ୍ଧାର ହେଲ। ସତ କେବେହେଲେ ଲୁଚି ରହେନାହିଁ। ଶ୍ରୀମନ୍ଦିର ପରିକ୍ରମା ଅଞ୍ଚଳ ଖନନ କରାଯିବା ପୂର୍ବରୁ ଗ୍ରାଉଣ୍ଡ୍ ପେନିଟ୍ରେଟିଂ ରାଡାର୍ ସର୍ଭେ ହୋଇନଥିଲା। ଏଭଳି ବେଆଇନ ଖନନ ଦ୍ୱାରା କ’ଣ କ୍ଷତି ହେବ, ତା’ର ଅନୁସନ୍ଧାନ ହୋଇନଥିଲା। ଜେସିବି ଓ ବଡ଼ ବଡ଼ ମେସିନ୍ ଦ୍ୱାରା ଖନନ କାର୍ଯ୍ୟହେବା କାରଣରୁ ବହୁ ପୁରାତନ ଅବଶେଷ ଧ୍ୱଂସ ପାଇଲା। ଏପରିକି ଖନନ ସମୟରେ ବାହାରିଥିବା ମାଟିକୁ ସଂଗ୍ରହ ନକରି ବିକ୍ରି କରିଦିଆଯାଇଛି ଅଭିଯୋଗ କରିବା ସହ ଜେସିବି ମେସିନ୍ ସାହାଯ୍ୟରେ ମାଟି ଖୋଳିବା ଏବଂ ଇତିହାସ ଓ ଐତିହ୍ୟକୁ ନଷ୍ଟ କରିବା ଆମ ସମସ୍ତଙ୍କ ମନକୁ ଶକ୍ତ ଆଘାତ ଦେଇଛି ବୋଲି ସମ୍ବିତ୍ କହିଛନ୍ତି।