ଏୟାର ଇଣ୍ଡିଆ ବିମାନରେ ମହିଳା ଯାତ୍ରୀଙ୍କୁ କାମୁଡ଼ିଦେଲା ବିଛା, ଆଉ ତାପରେ…
ଏୟାର ଇଣ୍ଡିଆର ବିମାନରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି। ବିମାନରେ ଥିବା ଜଣେ ମହିଳା ଯାତ୍ରୀଙ୍କୁ ବିଛା କାମୁଡିଛି। ତେବେ ଯାତ୍ରୀଙ୍କର ସ୍ଥିତି ଠିକ୍ ଅଛି ବୋଲି କୁହାଯାଉଛି। ଗତ ମାସ ୨୩ ଏପ୍ରିଲରେ ଏହି ଘଟଣା ନାଗପୁର-ମୁମ୍ବାଇ ବିମାନ ଏଆଇ ୬୩୦ ରେ ଘଟିଥିଲା। ଏହି ଘଟଣା ସେତେବେଳେ ହୋଇଥିଲା ଯେତେବେଳେ ବିମାନ ଉଡାଣ ଆରମ୍ଭ କରିଥିଲା। ବିଛା କାମୁଡିବା ମାତ୍ରେ ହିଁ କ୍ରୁ ମେମ୍ବର ମୁମ୍ବାଇ ଏୟାରପୋର୍ଟକୁ ଘଟଣା ସମ୍ପର୍କରେ ସୂଚନା ଦେଇ ଡାକ୍ତରଙ୍କୁ ପ୍ରସ୍ତୁତ ରହିବାକୁ କହିଥିଲେ।
ଏହି ଘଟଣା ଉପରେ ଏୟାର ଇଣ୍ଡିଆ ଦୁଃଖ ପ୍ରକାଶ କରିଛି। ଏୟାରଲାଇନ୍ସ ନିଜ ବୟାନରେ କହିଛି, ଆମ ବିମାନରେ ଥିବା ଯାତ୍ରୀଙ୍କୁ ବିଛା କାମୁଡିବା ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ବିମାନ ଲ୍ୟାଣ୍ଡ ହେବାମାତ୍ରେ ଯାତ୍ରୀଙ୍କୁ ଡାକ୍ତର ଦେଖିଥିଲେ ପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇ ଦେଇଥିଲେ। ତେବେ ଯାତ୍ରୀଙ୍କୁ ଏବେ ହସ୍ପିଟାଲରୁ ଛୁଟି ମିଳିଯାଇଛି।
ଏୟାର ଇଣ୍ଡିଆାର କହିବା ଅନୁସାରେ, ଆମ ଟିମ୍ ପ୍ରୋଟୋକଲ୍ ପାଳନ କରିଛି। ଆମ ଅଧିକାରୀ ମହିଳାଙ୍କ ସହିତ ହସ୍ପିଟାଲ ଯାଇଥିଲେ ଓ ଡିସଚାର୍ଜ ହେବା ପର୍ଯ୍ୟନ୍ତ ଯାତ୍ରୀଙ୍କୁ ସବୁ ପ୍ରକାର ସାହାଯ୍ୟ ଦିଆଯିବ। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଏୟାର ଇଣ୍ଡିଆର ଇଞ୍ଜିନିୟରିଂ ଟିମ୍ ବିମାନର ଇଞ୍ଜିନକୁ ଭଲ ଭାବରେ ନିରୀକ୍ଷଣ କରିଥିଲେ। ବିମାନରେ ପୋକମରା ଗ୍ୟାସ୍ ଛଡା ଯାଇଥିଲା, ଯେଉଁଥିରେ ବିଛା ମିଳିଥିଲା। ଯାତ୍ରୀଙ୍କୁ ହୋଇଥିବା ଏହି ସମସ୍ୟା ଓ ଅସୁବିଧା ପାଇଁ ଆମେ ଦୁଃଖିତ ବୋଲି କହିଛି ଏୟାର ଇଣ୍ଡିଆ।