ଋଷର ଲୁନା-୨୫ କ୍ରାସ୍ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ବୈଜ୍ଞାନିକ

0

ପ୍ରାୟ ୪୭ ବର୍ଷ ପରେ ଋଷ ଆରମ୍ଭ କରିଥିବା ଚନ୍ଦ୍ର ଅଭିଯାନ ଲୁନା-୨୫ କ୍ରାସ୍ ହେବା ପରେ ଭାଙ୍ଗି ପଡ଼ିଛନ୍ତି ବୈଜ୍ଞାନିକ । ଋଷର ଆଶା ଧୂଳିସାତ୍ ହେବା ସହ ୯୦ ବର୍ଷୀୟ ବରିଷ୍ଠ ବୈଜ୍ଞାନିକ ତଥା ଏଷ୍ଟ୍ରୋନୋମର ମିଖାଇଲ୍ ମାରୋବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ।

ନ୍ୟୁଜ୍ ୱେବସାଇଟ୍ ଇଣ୍ଡିପେଣ୍ଡେଣ୍ଟ ଅନୁସାରେ, ମିକାଇଲ୍ ମାରୋବଙ୍କୁ ମସ୍କୋର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମିଖାଇଲ୍ କହିଛନ୍ତି, ଏହି ମିଶନ ମୋ ପାଇଁ ଜୀବନର ପ୍ରଶ୍ନ ଥିଲା । ଏହି କଷ୍ଟ ସହିବା ମୁସ୍କିଲ୍ ଅଟେ ।

କେବଳ ଲୁନା-୨୫ ନୁହେଁ ମିଖାଇଲ୍ ମାରୋବ ଋଷର ପ୍ରଥମ ମୁନ୍ ମିଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସେ କହିଛନ୍ତି, ପୁଣି ଥରେ ମିଶନ ମୁନ୍ ଦେଖିବା ମୋ ପାଇଁ ଶେଷ ସୁଯୋଗ ଥିଲା । ଏଥିରେ ଯେଉଁ ତ୍ରୁଟି ହୋଇଛି ତାର ବଡ଼ ଯାଞ୍ଚ ହେଉ ।

ସ୍ପେସ୍ ଏଜେନ୍ସି ରସକସମସ୍ ରବିବାର ଲୁନା-୨୫ କ୍ରାସ୍ ନେଇ ସୂଚନା ଦେଇଥିଲା । ଋଷ ସ୍ପେସ୍ ଏଜେନ୍ସି ଅନୁସାରେ, ଶନିବାର ସନ୍ଧ୍ୟା ୫ଟା ୨୭ରେ ମହାକାଶଯାନ ସହ ଯୋଗାଯୋଗ ହୋଇ ପାରି ନଥିଲା । ଲ୍ୟାଣ୍ଡିଂ ପୂର୍ବରୁ କକ୍ଷପଥ ପରିବର୍ତ୍ତନ ବେଳେ ସେଥିରେ ତ୍ରୁଟି ଦେଖା ଦେଇଥିଲା । ଅଗଷ୍ଟ ୨୧ରେ ଲୁନା-୨୫ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥାନ୍ତା ।

ସୂଚନାଯୋଗ୍ୟ, ୧୯୭୬ରେ ସୋଭିଏତ ସମୟର ଲୁନା-୨୪ ମିଶନ ପରେ ପ୍ରାୟ ପାଞ୍ଚ ଦଶନ୍ଧି ପରେ ପ୍ରଥମ ଥର ଅଗଷ୍ଟ ୧୦ରେ ଲୁନା-୨୫କୁ ଅନ୍ତରୀକ୍ଷକୁ ପଠାଯାଇଥିଲା। ଏହାର ଲ୍ୟାଣ୍ଡ୍‌ ଅଗଷ୍ଟ ୨୧ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ହେବାର ଥିଲା। ଏହି ମଶନ ପାଇଁ ୧୬୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।

Leave a comment