ସେପ୍ଟେମ୍ବରରୁ ସ୍କୁଲ ଖୋଲିବା ନେଇ ପ୍ରସ୍ତୁତ ହେଉଛି କେନ୍ଦ୍ର ସରକାର !
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସେପ୍ଟେମ୍ବରରୁ ସ୍କୁଲ ଖୋଲିବା ନେଇ ପ୍ରସ୍ତୁତ ହେଉଛି କେନ୍ଦ୍ର ସରକାର । ପ୍ରଥମ ପର୍ଯ୍ୟାୟରେ ୧୦ମ ରୁ ଦ୍ବାଦଶ ଏବଂ ପରେ ଷଷ୍ଠରୁ ନବମ ପିଲାଙ୍କ ସ୍କୁଲ ଖୋଲିବା ରୋଡ ମ୍ୟାପ ପ୍ରସ୍ତୁତ କରୁଛି କେନ୍ଦ୍ର ସରକାର । ପ୍ରାଇମେରୀ ସ୍କୁଲରେ ପୂର୍ବପରି ଅନ୍ଲାଇନ୍ କ୍ଲାସ୍ ଜାରିରହିବ ।
ସୂଚନା ଅନୁଯାୟୀ, ସେପ୍ଟେମ୍ବର ପହିଲାରୁ ନଭେମ୍ବର ଦ୍ବିତୀୟ ସପ୍ତାହ ମଧ୍ୟରେ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବା ନେଇ ପ୍ରସ୍ତୁତ ହୋଉଛି ରୋଡ ମ୍ୟାପ । କିଭଳି ସ୍କୁଲ ଖୋଲିବ ଏବଂ ପିଲାମାନେ କେମିତି ସୁରକ୍ଷିତ ଭାବେ ପାଠ ପଢିବେ ସେନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ନେତୃତ୍ବରେ କୋଭିଡ ପରିଚାଳନା ପାଇଁ ଗଠିତ ମନ୍ତ୍ରିସ୍ତରୀୟ କମିଟିରେ ଆଲୋଚନା ହୋଇଛି । ଅନଲକ୍ ୩ ଅଗଷ୍ଟ ଡେଡ୍ଲାଇନ୍ ପରେ ସ୍କୁଲ ଖୋଲିବା ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିବେ। ଯାହାକୁ ସବୁ ରାଜ୍ୟ ପାଳନ କରିବେ। ସ୍କୁଲ ଖୋଲିବା ପାଇଁ ଯେଉଁ ଯୋଜନା ହେଉଛି ସେଥିରେ ସେପ୍ଟେମ୍ବର ୧୫ ତାରିଖ ଭିତରେ ୧୦ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ସ୍କୁଲ ଆସିବେ । ସବୁ ସ୍କୁଲ କୋଭିଡ ପାଇଁ ଦିଆଯାଇଥିବା ଏସ୍ଓପି ପାଳନ କରିବେ।
ଛାତ୍ରଛାତ୍ରୀମାନେ ୮ଟାରୁ ୧୧ଟା ଏବଂ ୧୨ଟାରୁ ୩ଟା ଏଭଳି ୨ଟି ସିଫ୍ଟରେ କ୍ଲାସ କରିବେ। କ୍ଲାସର ସବୁ ସେକ୍ସନ ପିଲାଙ୍କୁ ଗୋଟିଏ ଦିନରେ ଆସିବାକୁ ଦିଆଯିବ ନାହିଁ । ଅଲଟରନେଟିଭ ସେକ୍ସନ କ୍ଲାସ କରିବାକୁ ସୁଯୋଗ ପାଇବେ। ସେପ୍ଟେମ୍ବର ୧୫ ପରେ ଷଷ୍ଠରୁ ନବମ ଶ୍ରେଣୀ ପିଲାମାନେ ସ୍କୁଲ ଯିବେ । ମାତ୍ର କେବେ ଓ କେମିତି ସ୍କୁଲ ଖୋଲାଯିବ ସେ ନିଷ୍ପତ୍ତି ରାଜ୍ୟ ଉପରେ ଛାଡିବେ କେନ୍ଦ୍ର ସରକାର ।