ଘାଟିରୁ ଖସିଲା ସ୍କୁଲ ବସ, ୩ ମୃତ ଓ ୫ଗୁରୁତର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଲା ସ୍କୁଲ ବସ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ୫ଜଣ ଗୁରୁତର ହୋଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଅଞ୍ଚଳରେ । ରବିବାର ଚନ୍ଦାହାଣ୍ଡିଠାରେ ଆୟୋଜିତ ଏକ ପାଠଚକ୍ର ଭାଗଦେବା ପାଇଁ ଉମରକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ସ୍କୁଲର ଛାତ୍ରୀଛାତ୍ର ସ୍କୁଲ ବସ୍ରେ ଯାଉଥିଲେ । ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ବସଟି ଭାରସାମ୍ୟ ହରାଇ ଘଟିରୁ ଖସିପଡିଥିଲା । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ୨ଜଣ ଛାତ୍ର ଓ ଜଣେ ସ୍କୁଲ ଷ୍ଟାଫ୍ ଥିଲେ ବୋଲି ଜଣାପଡିଛି । ଖବରପାଇ ଝରିଗାଁ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀ ଏବଂ ୧୦୮ ଆମ୍ବୁଲାନ୍ସ୍ ସେବା ଦୁର୍ଘଟଣା ସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରୁଛନ୍ତି । ମୃତ୍ୟୁ ଘଟିଥିବା ଯାତ୍ରୀମାନଙ୍କର ପରିଚୟ ମିଳି ପାରିନାହିଁ । ତେବେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି ।