ଆଇସିୟୁରେ ଭର୍ତ୍ତି ହେଲେ ସାଏରା ବାନୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଲିଉଡ ଭେଟେରାନ ଅଭିନେତ୍ରୀ ସାଏରା ବାନୋ ଖରାପ ହେଲା ସ୍ୱାସ୍ଥ୍ୟାବସ୍ଥା । ତାଙ୍କୁ ଗୁରୁତର ଅବସ୍ଥାରେ ଆଜି ମୁମ୍ବାଇ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସାଏରା ବାନୋଙ୍କ ସୁଗାରା ଲେବୁଲ ଓ ବ୍ଲଡ ପ୍ରେସର ବଢ଼ିଯାଇଥିବାରୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିବା ସୂଚନା ମିଳିଛି।
ତେବେ ସୂଚନା ଅନୁଯାୟୀ, ପ୍ରାରମ୍ଭିକ ଚିକିତ୍ସାରୁ ଜଣାପଡିଛି ଯେ, ତାଙ୍କ ବ୍ଲଡ ପ୍ରେସର ମଧ୍ୟ ହାଇ ରହିଥିବା ବେଳେ ସୁଗାର ଲେବଲ୍ ବଢିଯାଇଛି । ଏହାପରେ ଡାକ୍ତର ତାଙ୍କର ସମସ୍ତ ଟେଷ୍ଟ କରିଛନ୍ତି। ଏବେ ସେ ଡାକ୍ତରଙ୍କ ତତ୍ତ୍ବବଧାନରେ ହସ୍ପିଟାଲର ଆଇସିୟୁରେ ଅଛନ୍ତି । ତେବେ କୁହାଯାଉଛି ଯେ, ଦିଲୀପ କୁମାରଙ୍କ ମୃତ୍ୟୁ ପରେ ସାଏରାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହୁନଥିଲା। ଦିଲୀପ ସାହାବଙ୍କୁ ମନେପକାଇ ସେ ସବୁବେଳେ ଦୁଃଖିତ ରହୁଥିଲେ। ତାଙ୍କ ମୃତ୍ୟୁ ଖବର ସେ ସହିପାରି ନଥିଲେ।
ଗତ ଜୁଲାଇ ୭ ତାରିଖରେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଦିଲୀପ କୁମାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ପରେ ପୂରା ଭାଙ୍ଗି ପଡିଥିଲେ ସାଏରା। କିନ୍ତୁ ସାଏରା ବେଶ୍ ଚୁପ୍ଚାପ ରହୁଥିଲେ। ତାଙ୍କୁ ଲଗାତାର ସ୍ୱାମୀ ଦିଲୀପ କୁମାରଙ୍କ କଥା ମନେ ପଡୁଥିଲା। ପରିବାର ଲୋକଙ୍କ ସହ ସଦାବେଳେ ସେ ଦିଲୀପଙ୍କ ବିଷୟରେ ହିଁ କଥା ହେଉଥିଲେ। ସାଏରାଙ୍କ ନିକଟ ସମ୍ପର୍କିୟଙ୍କ କହିବା ମୁତାବକ, ସାଏରା ଏପର୍ଯ୍ୟନ୍ତ ବିଶ୍ୱାସ କରି ପାରୁନାହାନ୍ତି ଯେ, ଦିଲୀପ ସାହାବ ଆଉ ଏ ଦୁନିଆରେ ନାହାନ୍ତି।
ଯେତେବେଳେ ଦିଲୀପଙ୍କ ଦେହାନ୍ତ ହୋଇଥିଲା ସେତେବେଳେ ମଧ୍ୟ ସାଏରା ତାଙ୍କ ମୃତଦେହ ପାଖରେ ବସି ରହି ତାଙ୍କୁ କେବଳ ଦେଖୁଥିଲେ। ଡିପ୍ରେସନରେ ରହି ସାଏରାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା। ପରେ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ହୋଇଥିଲା ବୋଲି କହିଛନ୍ତି। ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ ସାଏରାଙ୍କ ଫ୍ୟାନ୍ସମାନେ ତାଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ ବୋଲି ସେମାନେ ପ୍ରାର୍ଥନା କରିଛନ୍ତି।