ଆଜି ଖୋଲିବ ସାବରୀମାଲା ମନ୍ଦିର,ଶୃଙ୍ଖଳା ପାଇଁ ୨ହଜାର ପୋଲିସ ନିୟୋଜିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁ ବାଦବିବାଦ ସତ୍ତ୍ୱେ ପାରମ୍ପରିକ ପୂଜା ପାଇଁ ଆଜି ସନ୍ଧ୍ୟା ୫ଟାରୁ ୨୪ଘଣ୍ଟା ପାଇଁ ଖୋଲିବ କେରଳର ସାବରୀମାଳା ମନ୍ଦିର । ଏଥିପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ ୨ହଜାର ପୋଲିସ ନିୟୋଜିତ ହୋଇଛନ୍ତି । ଏଥିରେ ଶହେ ଜଣ ମହିଳା ପୋଲିସ ଅଛନ୍ତି । ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ମନ୍ଦିର ରାସ୍ତା ଦେଇ ଯାଉଥିବା ସମସ୍ତ ଯାନବାହାନ ଚେକିଂ କରାଯାଉଛି । ପାରମ୍ପରିକ ପୂଜା ପାଇଁ ସୋମବାର ସନ୍ଧ୍ୟା ୫ ଟାରୁ ମଙ୍ଗଳବାର ରାତି ୧୦ ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ । ଏହି ସମୟ ମଧ୍ୟରେ କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ନହେବା ପାଇଁ ଉଭୟ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ସୂଚନାଯୋଗ୍ୟ, ସାବରୀମାଲା ମନ୍ଦିରକୁ ମହିଳାଙ୍କ ପ୍ରବେଶ ନେଇ ମାନ୍ୟବର ସୁପ୍ରିମକୋର୍ଟ ରାୟ ଦେବା ପରେ ବିବାଦ ଦେଖା ଦେଇଛି । ଏହି ରାୟ ପରେ ଗତ ମାସରେ ପ୍ରଥମ ଥର ସାବରୀମାଲା ମନ୍ଦିର ଖୋଲିଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା । ଦ୍ଵିତୀୟ ଥର ପାଇଁ ଆଜି ସନ୍ଧ୍ୟାରେ ମନ୍ଦିର ଖୋଲିବ ।