ଋଷର ୫୦ ସୈନ୍ୟଙ୍କୁ ହତ୍ୟା, ୟୁକ୍ରେନ୍ ୪୦ ଯବାନ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୟୁକ୍ରେନ୍ ଉପରେ ଆକ୍ରମଣ କରିଚାଲିଛି ଋଷ । କୌଣସି ପରିସ୍ଥିତିରେ ଝୁଙ୍କୁ ନାହାନ୍ତି ପୁଟ୍ଟିନ୍ । ୟୁକ୍ରେନ୍ର ବିଭିନ୍ନ ସ୍ଥାନରେ ଘନଘନ ମିସାଇଲ ମାଡ କରିଚାଲିଛନ୍ତି ଋଷ ସୈନ୍ୟ । ଳଗାତାର ଭାବେ ଆକାଶମାର୍ଗରୁ ବୋମା ବର୍ଷା ହେଉଛି । ଯୁଦ୍ଧ ଆରମ୍ଭ ହୋଇସାରିଛି, କେବେ ଶେଷ ହେବ କିଏ ଆତ୍ମସମର୍ପଣ କରିବ ତାହା କେହି ଜଣିନାହାନ୍ତି ।
ଏହାରି ମଧ୍ୟରେ ଋଷର ୫୦ ଜଣ ଯବାନଙ୍କୁ ହତ୍ୟା କରିଥିବା ଦାବି କରିଛି ୟୁକ୍ରେନ୍ । ତା ସହିତ ୫ଟି ଫାଇଟର୍ ଜେଟ୍ ଏବଂ ୨ଟି ହେଲିକପ୍ଟରକୁ ମଧ୍ୟ ଆକାଶମାର୍ଗରେ ଉଡାଇ ଦେଇଛି ୟୁକ୍ରେନ୍ । ଅପର ପକ୍ଷେ ଋଷ ସହ ଯୁଦ୍ଧ ସମୟରେ ୟୁକ୍ରେନ୍ର ୪୦ ଜଣ ସୈନ୍ୟ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଅନେକ ସୈନ୍ୟ ଆହତ ମଧ୍ୟ ହୋଇଛନ୍ତି । କେବଳ ସେତିକି ନୁହେଁ, ଋଷ ମିଲିଟାରୀ ଫୋର୍ସ ଆକ୍ରମଣରେ ୟୁକ୍ରେନ୍ର ୧୦ ଜଣ ସାଧାରଣ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି ।
ୟୁକ୍ରେନ୍ର ରାଜଧାନୀ ସମେତ ଅନେକ ସ୍ଥାନରେ ଘନଘନ ମିସାଇଲ ମାଡ କରୁଛି ଋଷ । ବୋମା ମାଡ କରି ଥରହର୍ କରୁଛି ଋଷୀ ମିଲିଟାରୀ ଫୋର୍ସ । ଅନ୍ୟପଟେ ୟୁକ୍ରେନ୍ରେ ଫସିଥିବା ପ୍ରାୟ ୧୮ ହଜାରୁ ଉର୍ଦ୍ଧ୍ବ ଭାରତୀୟ ନାଗରିକ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତୁରନ୍ତ ଉଦ୍ଧାର କରିବାକୁ କେନ୍ଦ୍ର ସରକାର ଆବେଦନ କରୁଛନ୍ତି ଭାରତୀୟ । ବିଶେଷ କରି ୟୁକ୍ରେନ୍ ରହି ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ । ଭାରତୀୟ ଦୂତାବାସକୁ ଭିଡିଓ ମାଧ୍ୟମରେ ଉଦ୍ଧାର ପାଇଁ ଅନୁରୋଧ କରୁଛନ୍ତି ଭାରତୀୟ ଛାତ୍ରଛାତ୍ରୀ ।