ପୁରୀ ଯୁବରାଜଙ୍କୁ ନେଇ ମିଥ୍ୟା ଖବର ପ୍ରଚାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଛିଦିନ ତଳେ ସୋସିଆଲ ମିଡିଆରେ ପୁରୀ ଯୁବରାଜଙ୍କୁ ନେଇ ଏକ ଫଟୋ ଭାଇରଲ ହୋଇଥିଲା । ଯାହାକୁ ନେଇ ଅନେକ ମିଥ୍ୟା ଖବର ପ୍ରଚାରିତ ହେବାରେ ଲାଗିଥିବାରୁ ପୁରୀ ଶ୍ରୀନଅର ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ଶ୍ରୀନଅର ପକ୍ଷରୁ ସ୍ପଷ୍ଟୀକରଣ ଦେଇ କୁହାଯାଇଛି, ସୋସିଆଲ ମିଡିଆରେ ଭାଇରଲ ହୋଇଥିବା ଫଟୋଟି ସତ । ମାତ୍ର ତାହା ୨୦୧୬ ମସିହାର । ଏବଂ ଏହା ନୀଳଗିରିର ଯୁବରାଜ ଟିକାୟତ ଜନ୍ମେଜୟ ମର୍ଦ୍ଦରାଜଙ୍କର ନିର୍ବନ୍ଧ ଉତ୍ସବ ସମୟର । ଏଭଳି ମିଥ୍ୟା ଗୁଜବକୁ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା ଓ ଜଗନ୍ନାଥ ସଂସ୍କୃତି ଗବେଷକ ନିନ୍ଦା କରିଛନ୍ତି ।

ସୂଚନା ଅନୁଯାୟୀ, ଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟ ସେବକ ତଥା ପୁରୀ ଗଜପତିଙ୍କର ପୁତ୍ର ସନ୍ତାନ ନଥିବାରୁ ତାଙ୍କ ଉତ୍ତରାଧିକାରୀ କିଏ ହେବେ ତାକୁ ନେଇ ସବୁବେଳେ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଥାଏ । ଏହି ସମୟରେ ଏହି ଭାଇରଲ ଫଟୋ ଦେଖି ସମସ୍ତଙ୍କ ମନରେ ଏହି ଆଶା ଜାଗ୍ରତ ହେବା ସ୍ବାଭାବିକ ।

ଏହା ୨୦୧୬ ମସିହା ଡିସେମ୍ବର ମାସର ଫଟୋ ଯାହାକି ପ୍ରକୃତରେ ନୀଳଗିରି ଯୁବରାଜ ଟିକାୟତ୍ ଜନ୍ମେଜୟ ମର୍ଦ୍ଦରାଜଙ୍କ ନିର୍ବନ୍ଧ ଉତ୍ସବ ସମୟର । ଯେଉଁ ଫଟୋରେ ଜନ୍ମେଜୟଙ୍କ ନିକଟରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ନୀଳଗିରି ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ଓ ଢେଙ୍କାନାଳ ରାଜା କାମାକ୍ଷା ପ୍ରସାଦ ସିଦେଓ ଓ ସେମାନଙ୍କ ରାଣୀ ମଧ୍ୟ ଉପସ୍ଥିତ ଅଛନ୍ତି । ମାତ୍ର କେହି ବ୍ୟକ୍ତି ମୂଳ ଫଟୋରୁ ଢେଙ୍କାନାଳ ରାଜା,ରାଣୀଙ୍କୁ ବାଦ ଦେଇ, ତଳେ ଜନ୍ମେଜୟଙ୍କୁ ପୁରୀର ନୂଆ ଯୁବରାଜ ବୋଲି ଲେଖି ସୋଶାଲ୍ ମିଡିଆରେ ଭାଇରଲ କରିଥିବା ଶ୍ରୀନଅର ପକ୍ଷରୁ ପ୍ରକାଶ କରାଯାଇଛି ।

Leave a comment