ଆରଏସଏସର ଡ୍ରେସ୍ ପରି ଥିଲା ରଙ୍ଗ, ସରକାରୀ ସ୍କୁଲର ୟୁନିଫର୍ମ ବଦଳାଇ ଦେଲେ ଗେହଲଟ ସରକାର

0

ଜୟପୁର ୦୯।୧୨: ରାଜସ୍ଥାନରେ ଅଶୋକ ଗେହଲଟଙ୍କ ନେତୃତ୍ଵାଧୀନ ସରକାର ନିଜ କାର୍ଯ୍ୟକାଳର ଚାରି ବର୍ଷ ପରେ ସରକାରୀ ସ୍କୁଲର ୟୁନିଫର୍ମର ରଙ୍ଗ ବଦଳାଇ ଦେଇଛନ୍ତି। ଏହା ପୂର୍ବରୁ ବସୁନ୍ଧରା ରାଜେ ସରକାର ୨୦୧୭ରେ ସ୍କୁଲ ଛାତ୍ର-ଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳାଇଥିଲେ, ଯାହା ଆରଏସଏସ ପୋଷାକ ସହ ମେଳ ଖାଉଥିଲା।

ଗେହଲଟ ସରକାରଙ୍କ ଆଦେଶ ଅନୁଯାୟୀ, ଆଗାମୀ ଶିକ୍ଷା ବର୍ଷ ୨୦୨୨-୨୩ରେ ଛାତ୍ରମାନେ କେବଳ ନୀଳ ରଙ୍ଗର ସାର୍ଟ ଏବଂ ଗାଢ ଧୂସର ରଙ୍ଗ ପ୍ୟାଣ୍ଟ ପିନ୍ଧିବେ। ସେହିପରି ଛାତ୍ରୀମାନେ ନୀଳ ରଙ୍ଗର କୁର୍ତ୍ତା କିମ୍ବା ସାର୍ଟ ଏବଂ ଗଢା ଧୂସର ରଙ୍ଗର ସଲଓ୍ଵାର/ସ୍କର୍ଟ ପରିଧାନ କରିବେ। ୟୁନିଫର୍ମରେ ପରିବର୍ତ୍ତନର ପ୍ରଭାବ ରାଜ୍ୟର ୬୪ ହଜାର ସରକାରୀ ସ୍କୁଲରେ ପଢୁଥିବା ଛାତ୍ର-ଛାତ୍ରୀଙ୍କ ଉପରେ ପଡିବ।

୧୯୯୭ରୁ ରାଜସ୍ଥାନରେ ସରକାରୀ ବିଦ୍ୟାଳୟଗୁଡିକରେ ଛାତ୍ରଙ୍କ ୟୁନିଫର୍ମ ନୀଳ ପ୍ୟାଣ୍ଟ ଏବଂ ଖାକି ପରି ସାର୍ଟ ରହିଥିଲା। ଛାତ୍ରୀଙ୍କ ପାଇଁ ନୀଳ କୁର୍ତ୍ତା ଏବଂ ଧଳା ସଲଓ୍ଵାର କିମ୍ବା ସ୍କର୍ଟ ବ୍ୟବସ୍ଥା ରହିଥିଲା। ମାତ୍ର ୨୦୧୭ରେ ବସୁନ୍ଧରା ରାଜେ ସରକାର ୟୁନିଫର୍ମରେ ପରିବର୍ତ୍ତନ କରିଥିଲେ। ଯାହାକୁ ଏବେ ପରିବର୍ତ୍ତନ କରିଛନ୍ତି ଗେହଲଟ ସରକାର।

ରାଜ୍ୟ ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପ୍ରାୟ ୭୦ ଲକ୍ଷ ଛାତ୍ର-ଛାତ୍ରୀଙ୍କୁ ମାଗଣାରେ ୟୁନିଫର୍ମ ପ୍ରଦାନ କରାଯିବ। ବାକି ନବମରୁ ଦଶମ ଶ୍ରେଣୀର ପ୍ରାୟ ୨୮ ଲକ୍ଷ ଛାତ୍ର-ଛାତ୍ରୀଙ୍କୁ ନିଜେ ଡ୍ରେସ କିଣିବାକୁ ପଡିବ।

ଶିକ୍ଷା ମନ୍ତ୍ରୀ ବିଡି କଲ୍ଲା କହିଛନ୍ତି, ପୋଷାକ ପରିବର୍ତ୍ତନ ପ୍ରକ୍ରିୟା ପୂର୍ବତନ ମନ୍ତ୍ରୀ ଆରମ୍ଭ କରି ଦେଇଥିଲେ ଏବଂ ମଞ୍ଜୁରୀ ମଧ୍ୟ ଦେଇଥିଲେ। ତେଣୁ ପୋଷାକ ପରିବର୍ତ୍ତନ ପଛରେ କୌଣସି ରାଜନୀତି ନାହିଁ। ବିଜେପି ହିଁ ସର୍ବଦା ଏଜେଣ୍ଡା ଉପରେ କାମ କରିଥାଏ। କେତେବେଳ ଛାତ୍ର-ଛାତ୍ରୀଙ୍କୁ ଦିଆଯାଉଥିବା ସାଇକେଲ୍ ରଙ୍ଗ ହେଉ କି ଛାତ୍ର-ଛାତ୍ରୀଙ୍କ ପୋଷାକ। ଏବେ ଏହାକୁ ନେଇ ବିଜେପି ଗେହଲଟ ସରକାରଙ୍କୁ ଆକ୍ରମଣ କରିଛି।

Leave a comment