ରସିକିଆ ବିଲଡର ଧନୀ ଝିଅ ଦେଖି କରୁଥିଲେ ବିବାହ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରର ଜଣେ ରସିକିଆ ବିଲଡର ପ୍ରିୟବ୍ରତ ମିଶ୍ରଙ୍କ କାରନାମା ସାମ୍ନାକୁ ଆସିଛି । ପ୍ରିୟବ୍ରତ ମିଛ କହି ପ୍ରେମ ଜାଲରେ ଫାଶୀ କରିଛନ୍ତି ଏକାଧିକ ଧନୀ ଯୁବତୀଙ୍କୁ ବିବାହ । ଏହାକୁ ନେଇ ମହିଳା ଥାନାରେ ଅଭିଯୋଗ ହେବାପରେ କମିଶନରେଟ ପୋଲିସ ତାଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଭୁବନେଶ୍ୱରର ଦୁଇଟି ଥାନାରେ ପ୍ରିୟବ୍ରତ ନାଁରେ ମାମଲା ରୁଜୁ ହୋଇଛି । ପ୍ରଥମ ଏତଲା କ୍ୟାପିଟାଲ ଥାନାରେ ଦିଆଯାଇଥିବା ବେଳେ ମହିଳା ଥାନାରେ ଆଉ ଏକ ଅଭିଯୋଗ ହୋଇଛି । ଏତଲା ସହ ଥାନାରେ ବିବାହ ସମୟର ବିଭିନ୍ନ ଫଟୋ, ନିମନ୍ତ୍ରଣ ପତ୍ର ଓ ଅନ୍ୟ ପ୍ରମାଣପତ୍ର ଦେଇଛନ୍ତି ଅଭିଯୋଗକାରୀ । ବିବାହ ପରେ ସେମାନଙ୍କ ସମସ୍ତ ଯୌତୁକ ଏବଂ ସୁନା ଗହଣା ରଖି ତାଙ୍କୁ ବିଭିନ୍ନ ବାହାନା କରି ଘରୁ ତଡି ଦେଇଥିବା ଅଭିଯୋଗ କରିଛନ୍ତି ଏହି ଯୁବତୀମାନେ । ଏହି କାର୍ଯ୍ୟରେ ତାଙ୍କ ଘର ଲୋକ ସହଯୋଗ କରୁଥିବା ମଧ୍ୟ ଅଭିଯୋଗ ହୋଇଛି ।
ବିବାହ ବେଳର ଉଠା ଯାଇଥିବା ଅନେକ ଫଟୋରୁ ଜଣା ପଡୁଥିଲା ଏହା ସଂଭ୍ରାନ୍ତ ଘରର ବିବାହ । କାରଣ ଏହି ବିବାହରେ ବର ସାଜିଥିଲେ ଜଣେ ବିଲଡର । ତେବେ ବର ସାଜିଥିବା ଏହି ବ୍ୟକ୍ତି ଜଣକ ଏଭଳି ଥରେ ନୁହେଁ ବରଂ ଏକାଧକ ଥର ବର ସାଜିଛନ୍ତି । ଅର୍ଥାତ ନିଜକୁ ଅବିବାହିତ ଦର୍ଶାଇ ଏକାଧିକ ଯୁବତୀଙ୍କ ସହ ବେଦୀରେ ବର ସାଜି ଅଗ୍ନିକୁ ସାକ୍ଷୀ ରଖି ହାତଗଣ୍ଠି ପକାଇଛନ୍ତି । ଆଉ ଏହି ଠକାମୀ ଏବେ ତାଙ୍କୁ ମହଙ୍ଗା ପଡିଛି ।