ମାଷ୍ଟର କ୍ୟାଂଟିନ ଛକର ଯୋଦ୍ଧା ଘୋଡ଼ା ରହୁ, ରାସ୍ତା ବି ନିର୍ମାଣ ହେଉ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକର ଏକ ସ୍ୱତନ୍ତ୍ର ପରିଚୟ । ଏହାକୁ ରାଜଭବନ ଛକକୁ ସ୍ଥାନାନ୍ତର କରିବା ନେଇ ସଂସ୍କୃତି ବିଭାଗ,ବିଡ଼ିଏ ନିଷ୍ପତ୍ତି ନେଇଛି । ଯାହାକୁ ନେଇ ଘୋର ବିରୋଧ ଆରମ୍ଭ ହୋଇଛି । ବିଭିନ୍ନ ରାଜନେତା, ବିଶିଷ୍ଠ ଶିଳ୍ପୀ ଏବଂ ଅନେକ ବୁଦ୍ଧିଜୀବୀ ନିଜ ମତ ପ୍ରକାଶ କରି କହିଛନ୍ତି, ‘ମୂର୍ତ୍ତି ରହୁ, ରାସ୍ତା ମଧ୍ୟ ହେଉ’ ।

ସ୍ମାର୍ଟସିଟି ଯୋଜନାର କାର୍ଯ୍ୟକାରିତାରେ ମାଷ୍ଟରକ୍ୟାଂଟିନ ଛକରୁ ଯୋଦ୍ଧା ଘୋଡ଼ା ପ୍ରତିମୂର୍ତିକୁ ରାଜଭବନ ଛକକୁ ଉଠାଇ ନେବାକୁ ଜଟଣୀ ବିଧାୟକ ଦୃଢ଼ ନିନ୍ଦା କରି ଆଜି ମାଷ୍ଟରକ୍ୟାଂଟିନ ଛକ ଯୋଦ୍ଧା ଘୋଡ଼ା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେ କହିଛନ୍ତି ଯେ, ଏହି ପ୍ରତିମୂର୍ତିକୁ ୧୯୮୮ରେ ସ୍ବର୍ଗତ ରଘୁନାଥ ମହାପାତ୍ର ନିର୍ମାଣ କରିଥିବା ବେଳେ ଡ. ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନନ୍ଦିନୀ ଶତପଥି, ସତ୍ୟପ୍ରୀୟ ମହାନ୍ତି, ନୀଳମଣି ରାଉତରାୟ ଓ ଚିନ୍ତାମଣି ପାଣିଗ୍ରାହୀଙ୍କ କ୍ରମାଗତ ଉଦ୍ୟମରେ ଏହି ଛକର ଶୋଭାବର୍ଦ୍ଧନ ହୋଇଛି । ଏଠାରେ ସ୍ଥାପିତ ଯୋଦ୍ଧା ଘୋଡ଼ା ଓଡ଼ିଶାର ସ୍ୱର୍ଣ୍ଣ ଇତିହାସ, ବୀରପୁରୁଷ ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ବୀରତ୍ୱର ଗାଥାର ଏକ ପ୍ରସ୍ତର ପ୍ରଦର୍ଶନ । ସଚ୍ଚିବାଳୟ ଓ ଭୁବନେଶ୍ୱର ରେଲୱେ ସମ୍ମୁଖରେ ଏହା ଅବସ୍ଥିତ । ଏହି ପ୍ରତିମୂର୍ତିକୁ ହଟାନଯାଇ ସ୍ମାର୍ଟସିଟି କାର୍ଯ୍ୟକାରୀ ଯୋଜନା ଶ୍ରୀ ସୁରେଶ କୁମାର ରାଉତରାୟ ଦାବି କରିଛନ୍ତି ।

ସେହିପରି ଭୁବନେଶ୍ୱର ବିଜେପି ପକ୍ଷରୁ ମଧ୍ୟ ଏହି ନିଷ୍ପତ୍ତିର ପ୍ରତିବାଦ କରାଯାଇଛି । ଦିଲ୍ଲୀର ଏକ ଉଦାହରଣ ଦେଇ ମୂର୍ତ୍ତି ନହଠାଇ ମଧ୍ୟ ରାସ୍ତା ସମ୍ପ୍ରସାରଣ କରାଯାଇପାରିବ ବୋଲି ମତ ରଖିଛନ୍ତି ଭାଷ୍କର୍ଯ୍ୟଶିଳ୍ପୀ ପଦ୍ମବିଭୂଷଣ ସୁଦର୍ଶନ ସାହୁ ।

ଅପରପକ୍ଷରେ ବିଜେଡି କହିଛି, ସହରର ଲୋକ ସଂଖ୍ୟା ବଢ଼ୁଛି, ତାକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ସ୍ମାର୍ଟ ସିଟି ପ୍ରକଳ୍ପରେ ଏହି ମୂର୍ତ୍ତି ବାଧା ସୃଷ୍ଟି କରୁଥିବାରୁ ଏହାକୁ ରାଜଭବନ ଛକକୁ ସ୍ଥାନାନ୍ତରଣ କରାଯିବା ନେଇ ନିଜ ନିଷ୍ପତ୍ତିରେ ଅଟଳ ରହିଛି ସଂସ୍କୃତି ବିଭାଗ ।

Leave a comment