ଠିକାଦାରଙ୍କ ମାଧ୍ୟମରେ ବ୍ୟବସାୟ କରୁଛନ୍ତି ଆଇଏଏସ୍‌ ଅଧିକାରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଠିକାଦାର ଓ ଅଫିସରଙ୍କ ସମ୍ପର୍କ ବ୍ୟବସାୟିକ ରୂପ ନେବା କିଛି ନୂଆ କଥା ନୁହେଁ। ପୁଣି ଯେତେବେଳେ କୋଟି କୋଟି ଟଙ୍କାର କାରବାର ଜଣେ ଅଧିକାରୀଙ୍କ ଦସ୍ତଖତ ଉପରେ ନିର୍ଭର କରେ ସେତେବେଳେ ସେହି ସମ୍ପର୍କ ଆହୁରି ଅଧିକ ନିବିଡ଼ ହୋଇଥାଏ। ଅର୍ଥ ଏବଂ ଅଣ ଅର୍ଥ ନେଣ ଦେଣ ଚାଲେ। ଏ କାରବାର ପୁଣି ଏମିତି ଗୋପନୀୟ ହୁଏ ଯେ, ଅଧିକାରୀ ଜଣକ ଯେଉଁ ବିଭାଗକୁ ଯାଆନ୍ତି ସମ୍ପୃକ୍ତ ଠିକାଦାର ଭିନ୍ନ ଭିନ୍ନ ରୂପରେ ସେହି ବିଭାଗକୁ ବଦଳି ହୁଅନ୍ତି। ଏମିତି କିଛି ଉଦାହରଣ ଏବେ ଓଡ଼ିଶା ସରକାରଙ୍କ ଅଫିସର ମହଲରେ ସୁଦୃଶ୍ୟ ହେବାରେ ଲାଗିଛି। ଖାଲି ସେତିକି ନୁହେଁ ଏଠି ଆମେ ଯେଉଁ ଅଧିକାରୀ ଓ ଠିକାଦାରଙ୍କ କଥା କହୁଛୁ ସେଥିରେ ନେଣ ଦେଣ କାରବାର ସହ ବ୍ୟବସାୟିକ ନିବେଶ ବି ସମ୍ପୃକ୍ତ ରହିଛି।

ଏହି ଅଧିକାରୀ ଜଣକ ହେଉଛନ୍ତି ଓଡ଼ିଶା ସରକାରଙ୍କ କମିଶନର ତଥା ମୁଖ୍ୟ ସଚିବ ପାହ୍ୟାର ଜଣେ ଓଡ଼ିଆ ଅଧିକାରୀ। ଅବଶ୍ୟ ସେ ଯେଉଁ ଅନୁକମ୍ପା ମାଧ୍ୟମରେ ନିବେଶ କରିଛନ୍ତି ତାହାର କିଛି ପ୍ରାମାଣିକ ତଥ୍ୟ ନାହିଁ । କାରଣ ସରକାରୀ ନିୟମାବଳୀ ଅନୁସାରେ ଏହା ଦୁର୍ନୀତି ଓ ବେଆଇନ ପରିଧିଭୁକ୍ତ। ଏଣୁ ଏସବୁକୁ ଲୁଚାଇ ଅଧିକାରୀ ଓ ଠିକାଦାରଙ୍କ ଭିତରେ ଏକ ଭୌତିକ ସମ୍ପର୍କ ଗଢ଼ି ଉଠିଛି। ଏଣୁ ଦେଶ ଓ ରାଜ୍ୟର ଦୁର୍ନୀତି ନିୟନ୍ତ୍ରଣ କାରୀ ସଂସ୍ଥା ଓ ନଞାୟାଳୟରେ ତାଙ୍କ ଦୁର୍ନୀତି ବିଷରେ ଆଲୋଚନା ହେଲେ ବି ତାହା କୌଣସି ନିଣତଣାୟକ ମୋଡ଼ ନେଉ ନାହିଁ। ହେଲେ ସମ୍ପୃକ୍ତ ଅଧିକାରୀଙ୍କ ନାଁ କହିଲେ ଠିକାଦାରଙ୍କ ନାହି ପୋଡ଼ୁଛି।

ଠିକାଦାର ଜଣକ କଟକ ଜିଲ୍ଲାର। ଆଉ ଅଧିକାରୀ ଜଣକ ଓଡ଼ିଶା ସୀମାନ୍ତ ଅଞ୍ଚଳର। ସମ୍ପୃକ୍ତ ଠିକାଦାରଙ୍କ ନିବେଶ ବିଭିନ୍ନ ସ୍ଥାନରେ ରହିଛି। ଦେଶ ଓ ଦେଶ ବାହାରେ କିଛି କମ୍ପାନୀ ଓ ସମ୍ପତ୍ତି ବି ସ୍ଥାପନ କରାଯାଇଛି ବା କିଣା ଯାଇଛି। ସବୁଠାରୁ ବଡ଼ କଥା ହେଲା ଏବେ ସେମାନେ ରାଜ୍ୟରେ ଏକ ଟେଲିଭିଜନ୍‌ ସଂସ୍ଥା ଓ ଓ୍ବେବ୍‌ ମିଡିଆ ଖୋଲିଛନ୍ତି। ଯେହେତୁ ଏହି ଠିକାଦାର-ଅଡ଼ଧିକାରୀ ଯୋଡ଼ିଙ୍କ ବାବଦରେ ଗଣମାଧ୍ୟମରେ ଅନେକ ଖବର ପ୍ରକାଶ ପାଇଛି, ତାହାକୁ ଛୁପାଇବା ତଥା ରାଜ୍ୟର କ୍ଷମତା କେନ୍ଦ୍ରରେ ପ୍ରତିପତ୍ତି ଜାହିର କରିବା ଲାଗି ଏହି ଗୋଷ୍ଠୀ ମିଡିଆରେ ନିବେଶ କରିଛନ୍ତି। ରାଜ୍ୟର ଏକ ରୁଗ୍‌ଣ ଟେଲିଭିଜନ୍‌ ସଂସ୍ଥାକୁ କିଣିବାକୁ ଯାଉଥିବା ଖବର ମିଳିଛି। ଏହି ବ୍ୟବସାୟରେ ସମ୍ପୃକ୍ତ ବାବୁଙ୍କ ନିବେଶ ରହିଛି। କିନ୍ତୁ ସମ୍ପୃକ୍ତ ବାବୁଜଣକ ସିଧାସଳଖ ବା ନିଜ ନାଁରେ ଅର୍ଥ ନିବେଶ କରି ନାହାନ୍ତି। ସମ୍ପୃକ୍ତ କମ୍ପାନୀ ନାଁରେ ନିବେଶ ହୋଇଛି ।

ସୂଚନା ଅନୁସାରେ ଏହି ଆଇଏଏସ୍‌ ଅଧିକାରୀଙ୍କ ନାଁରେ ପୂର୍ବରୁ ଅନେକ ଦୁର୍ନୀତି ଅଭିଯୋଗ ରହିଛି। ସେ କିନ୍ତୁ ସରକାରୀ କ୍ଷମତା କେନ୍ଦ୍ରର କିଛି ଅଧିକାରୀଙ୍କ ସହ ଘନିଷ୍ଠ ଭାବେ ସମ୍ପୃକ୍ତ। ଅତୀତରେ ସେ ରାଜ୍ୟକୁ ଅନେକ ସମୟରେ ଧ୍ବସ୍ତ କରିଥିବା ପ୍ରାକୃତିକ ବିପର୍ଯ୍ୟୟ ଓ ତଦ୍‌ଜନିତ କ୍ଷୟକ୍ଷତିକୁ ପରିଚାଳନା କରିବାରେ ପ୍ରମୁଖ ଅଙ୍ଗ ପାଲଟିଥିଲେ। ଏହା ସହ ଅନେକ ନିଗମ ପରିଚାଳନା ଦାୟିତ୍ଵ ବି ସେ ପୂର୍ବରୁ ତୁଲାଇଛନ୍ତି। ପ୍ରାୟ ସମସ୍ତ ବରିଷ୍ଠ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ତାଙ୍କର ସୁସମ୍ପର୍କ ରହି ଆସିଛି।

Leave a comment