ଥାଇଲ୍ୟାଣ୍ଡ ରସାୟନ କାରଖାନାରେ ଅଗ୍ନିକାଣ୍ଡ ପରେ ବ୍ୟାପିଲା ବିଷାକ୍ତ ଧୂଆଁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଥାଇଲ୍ୟାଣ୍ଡ ରାଜଧାନୀ ବ୍ୟଙ୍ଗକକ୍ ସହର ବାହାରେ ଥିବା ରସାୟନ କାରଖାନାର ନିଆଁ ମଙ୍ଗଳବାର ନିର୍ବାପିତ ହୋଇଛି। ଦମକଳ ବାହିନୀ ଦୀର୍ଘ ୨୪ ଘଣ୍ଟା ଲାଗି ନିଆଁକୁ ଆୟତ୍ତ କରିଛନ୍ତି। ତେବେ କାରଖାନାରେ ନିଆଁ ଆୟତ ହେବା ପରେ ନୂଆ ସମସ୍ୟା ଉପୁଜିଛି। ଏଠାରୁ ବିଷାକ୍ତ ଧୂଆଁ ନିର୍ଗତ ହେଉଥିବା ବେଳେ କାରଖାନା ଆଖାପାଖ ୫ କିଲୋମିଟର ଅଞ୍ଚଳକୁ ଖାଲି କରାଯାଇଛି।

ମିଙ୍ଗଡିହ ରସାୟନ କାରଖାନାରେ ନିଆଁ ଲାଗିବା ଯୋଗୁ ଜଣକର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ସମସ୍ତ ମୃତାହତ ଜରୁରିକାଳୀନ ସେବା କର୍ମଚାରୀ ବୋଲି ଜଣାପଡିଛି। ଆହତଙ୍କ ମଧ୍ୟରୁ ୩୦ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରବିବାର ରାତି ପ୍ରାୟ ୩ଟା ବେଳେ କାରଖାନାରେ ନିଆଁ ଲାଗିଯାଇଥିଲା। ମଙ୍ଗଳବାର ଭୋର ପ୍ରାୟ ୩ଟା ବେଳକୁ ନିଆଁ ଆୟତ୍ତ ହୋଇଥିଲା। ଏଠାରେ ଥିବା ଉଚ୍ଚ ଜ୍ୱଳନଶୀଳ ଷ୍ଟାଇରିନ ମନୋମରରେ ନିଆଁ ଲାଗିଥିଲା।

କାରଖାନାରେ ଡିସପୋଜେବଲ ଫୋମ ପ୍ଲେଟ, କପ ଓ ଅନ୍ୟ ସାମଗ୍ରୀ ନିର୍ମାଣ କରୁଥିଲେ। ଏଣୁ ରସାୟନରୁ ନିଆଁ ନିର୍ବାପିତ ହେବା ପରେ ଧୂଆଁ ଚିନ୍ତାର କାରଣ ପାଲଟିଲାଣି। ରସାୟନର ଧୂଆଁ ଯୋଗୁ ମୁଣ୍ଡ ବୁଲେଇ ହେବା ସହ ବାନ୍ତି ହେଉଛି। ଏହି ଧୂଆଁ ଲୋକଙ୍କ ନିଶ୍ୱାସପ୍ରଶ୍ୱାସରେ ଗଲେ ଦୀର୍ଘକାଳୀନ ଅସୁସ୍ଥତାରେ କର୍କଟ ରୋଗର ସମ୍ଭାବନା ମଧ୍ୟ ରହିଛି। ଏଣୁ କାରଖାନା ଆଖପାଖ ୫ କିଲୋମିଟର ଅଞ୍ଚଳକୁ ପ୍ରଶାସନ ଖାଲି କରିଦେଇଛନ୍ତି।

Leave a comment