ରାଜ୍ୟର ଦୁଇ ବିମାନବନ୍ଦର କାର୍ଯ୍ୟକ୍ଷମ କରିବାକୁ ସଂସଦରେ ଦାବି କଲେ ମାନସ ମଙ୍ଗରାଜ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୂତନ ଭାବେ ନିର୍ବାଚିତ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ରାଜ୍ୟର ଉନ୍ନତି ପାଇଁ ନିଜ ସ୍ୱର ଉତ୍ତୋଳନ କରିଛନ୍ତି । ଶ୍ରୀଯୁକ୍ତ ମଙ୍ଗରାଜ କୋରାପୁଟ ଜିଲ୍ଲାର ଜୟପୁର ଓ କଳାହାଣ୍ଡିର ଉତକେଲା ଏୟାରପୋର୍ଟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସଂସଦରେ ଦାବି କରିଛନ୍ତି । ସଂସଦରେ ସ୍ୱତନ୍ତ୍ର ଆଲେଖ୍ୟ ଜରିଆରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେଡ଼ି ସାଂସଦ ମାନସ ମଙ୍ଗରାଜ ।

ସଂସଦରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀଯୁକ୍ତ ମଙ୍ଗରାଜ କହିଥିଲେ, ୨୦୧୭ରେ ମାଓ ଅଧ୍ୟୁଷିତ କୋରାପୁଟ ଓ କଳାହାଣ୍ଡିରେ ଦୁଇଟି ଏୟାରପୋର୍ଟ ପାଇଁ ଯୋଜନା ହୋଇଥିଲା । ସେହି ଅନୁସାରେ ଜୟପୁର ଓ ଉତକେଲା ଏୟାରପୋର୍ଟକୁ ଉଡାନ ଯୋଜନାରେ ସାମିଲ କରାଯାଇଥିଲା । ଅନେକ ଦାବି ପରେ ୨୦୨୦ରେ କାମ ଆରମ୍ଭ ହୋଇଥିଲା । ଏହି ଦୁଇଟି ଏୟାରପୋର୍ଟ ସହ ଝାରସୁଗୁଡ଼ା ବିମାନବନ୍ଦର କାମ ଆରମ୍ଭ ହୋଇଥିଲା । ମାତ୍ର ଝାରସୁଗୁଡ଼ା ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ ଜୟପୁର ଓ ଉତକେଲା ଏୟାରପୋର୍ଟ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁନାହିଁ । କଳାହାଣ୍ଡି ଓ କୋରାପୁଟ ରାଜ୍ୟର ଅନ୍ୟତମ ବ୍ୟବସାୟୀକ ପେଣ୍ଠସ୍ଥଳୀ । କିନ୍ତୁ ଦୁଇଟି ଯାକ ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇପାରୁନଥିବାରୁ ଲୋକଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ପୂରଣ ହୋଇପାରୁନି । ଏଥିସହ ଏହି ଦୁଇ ଜିଲ୍ଲା ମାଓ ପ୍ରଭାବିତ ହୋଇଥିବାରୁ ଦୁଇ ଏୟାରପୋର୍ଟକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ସାଂସଦ ମାନସ ମଙ୍ଗରାଜ ଦାବି କରିଛନ୍ତି ।

ସୂଚନା ଅନୁଯାୟୀ, ଦୀର୍ଘ ଦିନର ଦାବି ପରେ ଆଜି ଭୁବନେଶ୍ୱରରୁ କୋରାପୁଟ ଜିଲ୍ଲା ଜୟପୁରକୁ ଉଡ଼ିଛି ବିମାନ । ଆଜି ପୂର୍ବାହ୍ନ ୧୦ଟା ୧୫ ମିନିଟ୍‌ରେ ଭୁବନେଶ୍ୱର ଛାଡ଼ିଥିଲା ଗୁଜୁରାଟ ଭିତ୍ତିକ ବିମାନ ସେବା କମ୍ପାନୀ ଇଣ୍ଡିଆ ଏୟାର ୱାନ୍ । ୪୦ ମିନିଟ୍ ପରେ ଅର୍ଥାତ ସକାଳ ୧୦ଟା ୫୫ ମିନିଟ୍‌ରେ ଏହା ଜୟପୁରରେ ପହଞ୍ଚିଛି । ପରୀକ୍ଷାମୂଳକ ଭାବେ ଏହା ବିମାନ ବିନା ଯାତ୍ରୀରେ ଉଡ଼ାଣ ଭରିଛି । ପ୍ରାୟ ୧ ଘଣ୍ଟା ୫ ମିନିଟ୍‌ ରହିବା ପରେ ମଧ୍ୟାହ୍ନ ୧୨ଟାରେ ଏହା ଜୟପୁରରୁ ଭୁବନେଶ୍ୱର ଅଭିମୁଖେ ଫେରିଛି। ଏହାପରେ ଖୁବ୍‌ ଶୀଘ୍ର ଯାତ୍ରୀମାନେ ବି ବିମାନରେ ଭୁବନେଶ୍ୱରରୁ ଜୟପୁରକୁ ଯିବାର ସୁବିଧା ଉପଲବ୍ଧ କରିପାରିବେ ।

Leave a comment