ରାଜ୍ୟସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟସଭାର ମୌସୁମୀ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ୧୪ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିଲା ଅଧିବେଶନ। ଏହି ସମୟରେ ରାଜ୍ୟସଭାରେ ଅନେକ ବିଲ୍ ପାରିତ ହୋଇଛି। ଯେଉଁଥିରେ କିଛି ଅଧିନିୟମର ସଂଶୋଧନ ମଧ୍ୟ ହୋଇଛି। ମୌସୁମୀ ଅଧିବେଶନ ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବାକୁ ସ୍ଥିର ହୋଇଥିଲା। ହେଲେ ସାଂସଦ ମାନେ କରୋନାରେ ସଂକ୍ରମିତ ହେଉଥିବା ଦେଖି ରାଜ୍ୟସଭାକୁ ସ୍ଥଗିତ ରଖିଛନ୍ତି ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଆଜି ଅନ୍ତିମ ଦିନରେ ସଂସଦରେ ତିନୋଟି ପ୍ରମୁଖ ଶ୍ରମ ସଂସ୍କାର ବିଲ୍ ଅନୁମୋଦନ ହୋଇଛି। ଯାହା କମ୍ପାନୀ ବନ୍ଦ କରିବାରେ ଥିବା ପ୍ରତିବନ୍ଧକକୁ ଦୂର କରିବ ଏବଂ ସର୍ବାଧିକ ୩୦୦ କର୍ମଚାରୀ ଥିବା କମ୍ପାନୀଗୁଡିକୁ ସରକାରୀ ଅନୁମୋଦନ ବିନା କର୍ମଚାରୀଙ୍କୁ ଛଟେଇ କରିବାକୁ ଅନୁମତି ଦେବ। ରାଜ୍ୟସଭା ଶିଳ୍ପ ସମ୍ପର୍କ, ସାମାଜିକ ନିରାପତ୍ତା ଏବଂ ବୃତ୍ତିଗତ ନିରାପତ୍ତା ଉପରେ ଅବଶିଷ୍ଟ ତିନୋଟି ଶ୍ରମ ସଂକେତକୁ ବାଚନିକ ଭୋଟ୍ ଦେଇ ପାରିତ କରିଛି। ଏହି ବିଲ୍ ପାରିତ ହେବା ବେଳେ ବିରୋଧୀ କିନ୍ତୁ ବୟକଟ କରିଥିଲେ।