ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷା ସମ୍ଭାବନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷା ସମ୍ଭାବନା। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ, ମୌସୁମୀ ଟ୍ରଫ୍‌କୁ ଉତ୍ତରରୁ ଦକ୍ଷିଣ ଦିଗକୁ ମୁହାଁଇବାରେ ସହାୟ ହେବ। ଫଳରେ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବାକୁ ଅନୁକୂଳ ପରିବେଶ ସୃଷ୍ଟି ହେବ। ସାମ୍ଭାବ୍ୟ ମୌସୁମୀ ପ୍ରଭାବରେ ରାଜ୍ୟରେ ୩ ତାରିଖରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ। ୫ତାରିଖ ଯାଏଁ ରାଜ୍ୟରେ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରପକ୍ଷରୁ କୁହାଯାଇଛି।

ପାଣିପାଗକେନ୍ଦ୍ର ସୂଚନା ଅନୁସାରେ, ଏବେ ମୌସୁମୀ ଟ୍ରଫ୍‌ ଲାଇନ୍‌ ଗଙ୍ଗାନଗର, ପିଲାନି, ଗ୍ବାଲିଅର ଓ ମିଜୋରାମ ମଧ୍ୟ ଦେଇ ମେଘାଳୟ ଯାଏ ଲମ୍ବିଛି। ଏଥିସହ ପୂର୍ବ-ପଶ୍ଚିମ ସିଅର୍‌ ଜୋନ୍‌ ୧୫ ଡିଗ୍ରି ଉତ୍ତର ଅକ୍ଷାଂଶରେ ସମୁଦ୍ର ପତ୍ତନଠାରୁ ୩.୧ କିମିରୁ ୫.୮ କିମି ଉଚ୍ଚତାରେ ରହିଛି। ଅନ୍ୟପଟେ ଆସନ୍ତା ୪ ତାରିଖ ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୩ ତାରିଖରୁ ବର୍ଷାର ପରିମାଣ ବଢ଼ିବ।

କନ୍ଧମାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବରଗଡ଼ ଓ ବୌଦ୍ଧ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିଭଳି ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, କଟକ, ଅନୁଗୁଳ, ଢେଙ୍କାନାଳ, ଗଂଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୪ ଏବଂ ୫ ତାରିଖ ବେଳକୁ ଓଡ଼ିଶାର ପ୍ରାୟ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।

Leave a comment