କ୍ବାଦ ସମ୍ମିଳନୀ : ଭାରତ-ଆମେରିକା ସମ୍ପର୍କ ବିଶ୍ବାସର ବନ୍ଧନ
ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ବିତୀୟ କ୍ବାଦ ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କଥାବାର୍ତ୍ତା କରିଛନ୍ତି। କଥାବାର୍ତ୍ତା କାଳରେ ମୋଦୀ କହିଛନ୍ତି ଯେ ଭାରତ-ଆମେରିକାର ସମ୍ପର୍କ ବିଶ୍ବାସର ବନ୍ଧନ। ଦୁଇ ଦେଶ ମଧ୍ୟରେ ସାମରିକ ଓ ଅନ୍ୟ ପ୍ରସଙ୍ଗରେ ପରସ୍ପରକୁ ଉପଯୁକ୍ତ ସହଯୋଗ କରିଆସିଛନ୍ତି।
ଆଗାମୀ ଦିନରେ ଏହାକୁ ଆହୁରି ଦୃଢ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ। ଦୁଇଦେଶର ପ୍ରମୁଖ ସୁରକ୍ଷା ଏଜେନ୍ସି ପରସ୍ପରକୁ ବୈଷୟିକ ସହଯୋଗ କରିବା ଲାଗି ସମ୍ମତି ପ୍ରକାଶ କରିଛନ୍ତି। ବାଇଡେନ କହିଛନ୍ତି ଯେ ଭାରତ ସହିତ ଆମେରିକାର ସମ୍ପର୍କରେ ଆହୁରି ନିବିଡତା ଆଣିବାକୁ ତାଙ୍କ ଦେଶ ପ୍ରତିଶ୍ରୁତିବଦ୍ଧ। ଦୁଇ ନେତାଙ୍କ କଥାବାର୍ତ୍ତା କାଳରେ ୟୁକ୍ରେନ ଉପରେ ରୁଷ୍ର ଆକ୍ରମଣ ପ୍ରସଙ୍ଗ ସ୍ଥାନ ପାଇଥିଲା। କରୋନା ମୁକାବିଲା କରିବାରେ ଭାରତର ସଫଳତାକୁ ବାଇଡେନ ପ୍ରଶଂସା କରିଥିବାବେଳେ ଚୀନ ମହାମାରୀକୁ ମୁକାବିଲାରେ ବିଫଳ ହୋଇଥିବା କହିଛନ୍ତି। ମୋଦୀଙ୍କ ସଫଳତା ଗଣତନ୍ତ୍ରର ସଫଳତାକୁ ପ୍ରତିପାଦିତ କରୁଛି। ବିଶ୍ବ ସମୁଦାୟ ଜାଣିବା ଦରକାର ଯେ ଗଣତନ୍ତ୍ର ମାଧ୍ୟମରେ ମଧ୍ୟ ଲୋକଙ୍କୁ ସୁଶାସନ ଦିଆଯାଇପାରିବ।