୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏବେଠୁ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଲାଣି । ଶାସକ ବିଜେପି ସମେତ କଂଗ୍ରେସ, ବିଏସପି, ଏସପି ସମସ୍ତେ ନିଜ ନିଜର ରଣନୀତି ପ୍ରସ୍ତୁତ କଲେଣି । ଏହାମଧ୍ୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଦଳର ମୋର୍ଚ୍ଚା ସମ୍ଭାଳିଛନ୍ତି । ପ୍ରିୟଙ୍କା ରାଜ୍ୟର ପ୍ରାୟ ୫୦ ନେତାଙ୍କୁ ନିଜେ ଫୋନ୍ କରି ନିର୍ବାଚନ ପାଇଁ ସଜବାଜ ହେବାକୁ କହିଛନ୍ତି । ଏହାସହ ରାଜ୍ୟରେ ୨୦୦ରୁ ଅଧିକ ଆସନ ପାଇଁ ଦଳର ପ୍ରାର୍ଥୀ ଚୁଡାନ୍ତ କରିବାକୁ ମଧ୍ୟ ପ୍ରିୟଙ୍କା କହିଛନ୍ତି ।

ଚଳିତ ମାସର ପ୍ରଥମ ସପ୍ତାହରେ ପ୍ରିୟଙ୍କା ପ୍ରାୟ ୫୦ ନେତାଙ୍କୁ ଫୋନ୍ କରି ୨୦୨୨ ନିର୍ବାଚନ ଲଢିବାକୁ କହିଛନ୍ତି । ଏହାସହ ନିର୍ବାଚନ ପାଇଁ ପ୍ରସ୍ତୁତ ରୁହ, ଟିକେଟ୍ କନଫର୍ମ ବୋଲି ପ୍ରିୟଙ୍କା କହିଛନ୍ତି । ଏହାସହ ୨୦୧୭ରେ ବିଜୟୀ ହୋଇଥିବା ୭ ବିଧାୟକଙ୍କ ମଧ୍ୟରୁ ୫ ଜଣଙ୍କୁ ନିର୍ବାଚନ ଲଢିବାକୁ ଗ୍ରୀନ୍ ସିଗନାଲ୍ ମିଳିଛି । ନିଜ ନିଜ ଅଞ୍ଚଳ ଉପରେ ଫୋକସ୍ କରିବାକୁ ପ୍ରିୟଙ୍କା ପରାମର୍ଶ ଦେଇଛନ୍ତି ।

ରାଜ୍ୟ କଂଗ୍ରେସ ଉପ ସଭାପତି ବିରେନ୍ଦ୍ର ଚୌଧରୀ କହିଛନ୍ତି ଯେ, ନିର୍ବାଚନ ଲଢିବା ପାଇଁ ପ୍ରିୟଙ୍କା ମୌଖିକ ଭାବେ କହିସାରିଛନ୍ତି । ପୂର୍ବଥର କମ୍ ସମୟ ମିଳିଥିଲା । ଏବେ ଅଧିକ ସମୟ ରହିଛି । ଏହାଦ୍ୱାରା ନିଜ ନିଜ ଅଞ୍ଚଳ ପ୍ରଚାର କରିବା ସହ ରଣନୀତି ପ୍ରସ୍ତୁତି ପାଇଁ ସମୟ ମିଳିବ ।

ସୂଚନାଯୋଗ୍ୟ, କଂଗ୍ରେସ ୪୦୩ ଆସନରେ ପ୍ରାର୍ଥୀ ଚୟନ ପାଇଁ ଲାଗି ପଡିଛି । ୫୦ ନେତାଙ୍କୁ ନିଜେ ପ୍ରିୟଙ୍କା ଫୋନ୍ କରି ଟିକେଟ୍ କମଫର୍ମ କରିଛନ୍ତି । ଏହି ସବୁ ଆସନରେ ଦଳକୁ ୨୦୧୭ରେ ୫୦ ହଜାରରୁ ଅଧିକ ଭୋଟ୍ ମିଳିଥିଲା । ଅନ୍ୟ ୩୫୦ ଆସନରେ ପ୍ରାର୍ଥୀ ଚୟନ ପାଇଁ ବୈଠକ ଅନୁଷ୍ଠିତହେବ । ଏହା ଅତିଶୀଘ୍ର ଶେଷ ହେବ ବୋଲି କୁହାଯାଉଛି ।

Leave a comment