ଲକଡାଉନ ଯୋଗୁଁ ହେଉଥିବା ଅସୁବିଧା ପାଇଁ “ମନ୍ କୀ ବାତ୍’ରେ କ୍ଷମା ମାଗିଲେ ମୋଦୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି “ମନ୍ କୀ ବାତ୍’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “କ୍ୱାରେଣ୍ଟିନ୍’କୁ ଅଧିକ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ “କ୍ୱାରେଣ୍ଟିନ୍’କୁ ଅମାନ୍ୟ କରି ବିଶ୍ୱର ଅନେକ ଲୋକ ଏବେ ଅନୁତପ୍ତ ।
ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ବୁଝିପାରୁଛି କେହି ଜାଣିଶୁଣି ଲକଡାଉନ୍ ନିୟମ ଭାଙ୍ଗିବାକୁ ଚାହାଁନ୍ତି ନାହିଁ, କିନ୍ତୁ କେତେକ ଲୋକ ସେମିତି କରୁଛନ୍ତି । ମୁଁ ସେମାନଙ୍କୁ ଜଣାଇ ଦେବାକୁ ଚାହେଁ ଯେ ଯଦି ସେମାନେ ଲକଡାଉନ୍ ନ ମାନନ୍ତି, କରୋନାଭାଇରସ୍ ବିପତ୍ତିରୁ ରକ୍ଷା ପାଇବା କଷ୍ଟକର ହୋଇପଡ଼ିବ ।
“ଲକଡାଉନ୍’ ଜାରି କରିବା ଅପରିହାର୍ଯ୍ୟ ଥିଲା ସେଥିପାଇଁ ଜନତା ଅସୁବିଧାର ସମ୍ମୁଖୀନ ହୋଇଥିବାରୁ ମୁଁ କ୍ଷମା ମାଗୁଛି । “କରୋନାଭାଇରସ୍ ଲୋକମାନଙ୍କୁ ମାରୁଛି ତେଣୁ ତା’କୁ ବିଲୋପ କରିବାକୁ ସମଗ୍ର ମାନବଜାତି ଏକତ୍ର ଓ ଦୃଢ଼ପରିକର ହେବା ଉଚିତ” । ସମଗ୍ର ବିଶ୍ୱକୁ ଲକଡାଉନ୍ କରିଛି କରୋନାଭାଇରସ୍ । ଭାରତୀୟମାନେ ସାହସ ପ୍ରଦର୍ଶନ କରି ଦୃଢ଼ପରିକର ହୁଅନ୍ତୁ, ଆଉ କିଛି ଦିନ ପାଇଁ ଲକ୍ଷ୍ମଣ ରେଖା ମାନନ୍ତୁ ।
କରୋନାଭାଇରସ୍ ସହ ମୁହାଁମୁହିଁ ଲଢୁଥିବା ସୈନିକ ବିଶେଷକରି ନର୍ସ, ଡାକ୍ତର ଏବଂ ପାରାମେଡିକସମାନଙ୍କ ଠାରୁ ଆମେ ପ୍ରେରଣା ନେବା ଉଚିତ ବୋଲି ସେ ମତ ଦେଇଛନ୍ତି । କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ରାମାଗାମ୍ପା ତେଜା ଓ ସମଗ୍ର ପରିବାର କରୋନାଭାଇରସ ଆକ୍ରାନ୍ତ ହୋଇଥିବା ଆଗ୍ରାର ଅଶୋକ କପୁରଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ସେମାନଙ୍କ ଅଭିଜ୍ଞତା ଶୁଣିଥିଲେ । ଜୋତା ନିର୍ମାତା କପୁର ପ୍ରଧାନମନ୍ତ୍ରୀଙ୍କୁ କହିଲେ ତାଙ୍କ ଦୁଇ ପୁଅ ଏବଂ ପରିବାରର ସଦସ୍ୟମାନେ ଇଟାଲିରେ କରୋନଭାଇରସ୍ ଆକ୍ରାନ୍ତ ହୋଇଥିଲେ । ସେଠାରୁ ଫେରିବା ପରେ ଅନ୍ୟମାନଙ୍କୁ ସଂକ୍ରମିତ କରିଥିଲେ । କୋଭିଡ୍-୧୯ ସମ୍ବନ୍ଧରେ ସଚେତନତା ପ୍ରଚାର କରିବାକୁ ପ୍ରଧାନମନ୍ତ୍ରୀ କପୁରଙ୍କୁ କହିଛନ୍ତି । “କ୍ୱାରେନଣ୍ଟିନ୍’ରେ ଥାଇ ଅନ୍ୟମାନଙ୍କ ଦୁର୍ବ୍ୟବାହାର ସରବ୍ୟ ହେଉଥିବା ଲୋକମାନଙ୍କ କଥା ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଲେ ସମୟ ଆମକୁ ସାମାଜିକ ଦୂରତ୍ୱ ବଢ଼ାଇବା କଥା କହୁଛି । କିନ୍ତୁ, ଆବେଗିକ ବଢ଼ାଅ ନାହିଁ ।
କ୍ଷୁଦ୍ର ତେଜରାତି ଦୋକାନୀ, ଆତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କରୁଥିବା ଗାଡ଼ି ଚାଳକ, ଶ୍ରମଜୀବୀ, ବ୍ୟାଙ୍କ୍ କର୍ମଚାରୀ ଏବଂ ଇ-କମର୍ସ ଡେଲିଭରିପର୍ସନମାନେ ହେଉଛନ୍ତି ଆମ ଦୈନନ୍ଦିନ ଜୀବନର “ହିରୋ’ । ସେମାନେ ନିଜର ଓ ସେମାନଙ୍କର ପରିବାରବର୍ଗଙ୍କର ଯତ୍ନ ନେବା ପାଇଁ କହିବା ସହ ପ୍ରଧାନମନ୍ତ୍ରୀ ଦେଶ ତରଫରୁ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ଲକଡାଉନ୍ ସମୟରେ ନିଃସଙ୍ଗତାର ମୁକାବିଲା କରିବାକୁ ଲୋକେ ବଗିଚାକାମ ଓ ସଙ୍ଗୀତ ଭଳି ପୁରାତନ ରୁଚି ଆଦରି ନେବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହାଛଡ଼ା ସେ ସାମାଜିକ ଗଣମାଧ୍ୟମରେ ନିଜର ଫିଟନେସ୍ ରୁଟିନ୍ ଭିଡିଓ ଅପଲୋଡ୍ କରି ସେୟାର୍ କରିବେ ବୋଲି କହିଛନ୍ତି । ଆମକୁ ଏ ସଂଗ୍ରାମ ଜିଣିବାକୁ ପଡ଼ିବ ଆଉ ଆମେ ଜିଣିବା କହି ପ୍ରଧାନମନ୍ତ୍ରୀ “ମନ୍ କୀ ବାତ୍’ ଶେଷ କରିଥିଲେ ।