ଏଥର ପୂଜା ପୂର୍ବରୁ ମାହାଙ୍ଗା ମାଡ, ପଢନ୍ତୁ କାହାର ବଢ଼ିଲା ଦର

ଓଡିଶା ଫାଷ୍ଟ(ବ୍ୟୁରୋ): ପାଖେଇ ଆସୁଛି ପାର୍ବଣ ଋତୁ । ଠିକ ଏହି ସମୟରେ କେନ୍ଦ୍ର ସରକାରଙ୍କ ମାହାଙ୍ଗା ମାଡ଼ରେ ଘାଇଲା ଜନସାଧାରଣ । ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଦର କନ୍ଦାଉଥିଲା । ଏଥର ୧୯ଟି ସାମଗ୍ରୀ ଯଥା ଏସି, ଫ୍ରିଜ୍, ୱାଶିଂମେସିନ ଓ ବିମାନ ତୈଳ ଇତ୍ୟାଦିର ବର୍ଦ୍ଧିତ ଦର ସାଧାରଣ ଜନତାଙ୍କ ଚିନ୍ତା ବଢ଼ାଇ ଦେଇଛି । ପୂଜା ପର୍ବ ସମୟରେ ବିଭିନ୍ନ ଲୋଭନୀୟ ରିହାତି ଲୋକଙ୍କୁ ଆକର୍ଷଣ କରେ ନୂତନ ସାମଗ୍ରୀ ଘରକୁ ଆଣିବାକୁ । ମାତ୍ର ଏଥରର ମହଙ୍ଗା ମାଡ଼ ଲୋକଙ୍କୁ ନିଶ୍ଚୟ କଷ୍ଟ ଦେବ । ଏହି ବର୍ଦ୍ଧିତ ଦର ଗତକାଲି ରାତିରୁ ଲାଗୁହୋଇଛି ।
ସେହିପରି ଏସି ଓ ପ୍ରିଜ୍ର କମ୍ପ୍ରେସର ଦାମକୁ ମଧ୍ୟ ୭.୫%ରୁ ୧୦%କୁ ବୃଦ୍ଧି କରାଯାଇଛି । ବିମାନ ଇନ୍ଧନ ଉପରେ ସୀମା ଶୁଳ୍କ ବୃଦ୍ଧି କରାଯାଥିବାରୁ ଏଣିକି ବିମାନ ଯାତ୍ରା ମହଙ୍ଗା ହେବ ।
ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ବିତ୍ତୀୟ ବର୍ଷରେ ଦେଶକୁ ୮୬,୦୦୦ କୋଟି ଟଙ୍କାର ଅନାବଶ୍ୟକ ସାମଗ୍ରୀ ଆମଦାନୀ ହୋଇଛି। ତେଣୁ ଅନାବଶ୍ୟକ ସାମଗ୍ରୀର ଆମଦାନୀ ଉପରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇ ମୂଲ୍ୟବାନ ଧାତୁ ଅଳଙ୍କାର, ଜୋତା, ସ୍ପିକର୍, କାର୍ ଟାୟାର, ଟ୍ରଙ୍କସ୍/ସୁଟ୍କେସ୍, ପରିବହନ ବ୍ୟାଗ୍, ଶାୱାର ବାଥ, ପାଣି ଟ୍ୟାପ, ଟେବୁଲ ୱେର୍ ଓ କିଚିନ୍ ୱେର୍ ଉପରେ ଲାଗୁ ହେଉଥିବା ସୀମା ଶୁଳ୍କକୁ ବୃଦ୍ଧି କରାଯାଇଛି।
ଦାମ ବଢ଼ିଥବା କିଛି ସାମଗ୍ରୀ ହେଲା
* ଏସି ଓ ଫ୍ରିଜ୍ କମ୍ପ୍ରେସର ଉପରେ ପୂର୍ବରୁ ୭.୫% ସୀମା ଶୁଳ୍କ ଲାଗୁ ହେଉଥିବା ବେଳେ ଏବେ ଏହା ୧୦% ହୋଇଛ।
* ଏସି ଉପରେ ପୂର୍ବରୁ ୧୦% ସୀମା ଶୁଳ୍କ ଲାଗୁ ହେଉଥିବା ବେଳେ ଏବେ ଏହା ୨୦% ହୋଇଛି।
* ୧୦ କେଜି ଓଜନର କମ୍ ୱାଶିଂ ମେସିନ୍ ଉପରେ ପୂର୍ବରୁ ୧୦% ସୀମା ଶୁଳ୍କ ଲାଗୁ ହେଉଥିବା ବେଳେ ଏବେ ଏହା ୨୦% ହୋଇଛି।
* ଘରେ ବ୍ୟବହୃତ ହେଥିବା ଫ୍ରିଜ୍ ଉପରେ ପୂର୍ବରୁ ୧୦% ସୀମା ଶୁଳ୍କ ଲାଗୁ ହେଉଥିବା ବେଳେ ଏବେ ଏହା ୨୦% ହୋଇଛି।
* ଜୋତା ଉପରେ ପୂର୍ବରୁ ୨୦% ସୀମା ଶୁଳ୍କ ଆଦାୟ ହେଉଥିବା ବେଳେ ଏବେ ୨୫%କୁ ବୃଦ୍ଧି ପାଇଛି।
* ସେମି ପ୍ରୋସେସଡ୍, ଅଧା କଟା ଓ ଭଗ୍ନ ଅବସ୍ଥାରେ ଥିବା ହୀରା ଉପରେ ପୂର୍ବରୁ ୫% ସୀମା ଶୁଳ୍କ ଲାଗୁ ହେଉଥିବା ବେଳେ ଏବେ ଏହା ୭.୫% ହୋଇଛି।
* ସ୍ପିକର୍ ଉପରେ ପୂର୍ବରୁ ୧୦% ସୀମା ଶୁଳ୍କ ଲାଗୁ ହେଉଥିବା ବେଳେ ଏବେ ୧୫% ହୋଇଛି।
* କାର ଟାୟାର ଉପରେ ପୂର୍ବରୁ ୧୦% ସୀମା ଶୁଳ୍କ ଲାଗୁ ହେଉଥିବା ବେଳେ ଏବେ ଏହା ୧୫% ହୋଇଛି।
* ମୂଲ୍ୟବାନ ଧାତୁ ଅଳଙ୍କାର ଉପରେ ପୂର୍ବରୁ ୫% ସୀମା ଶୁଳ୍କ ଲାଗୁ ହେଉଥିବା ବେଳେ ଏବେ ଏହା ୭.୫% ହୋଇଛି।
* ଲ୍ୟାବ ଗ୍ରାଉନ୍ ହୀରା ଉପରେ ପୂର୍ବରୁ ୫% ସୀମା ଶୁଳ୍କ ଲାଗୁ ହେଉଥିବା ବେଳେ ଏବେ ଏହା ୭.୫% ହୋଇଛି।
* ପ୍ଲାଷ୍ଟିକ୍ରେ ନିର୍ମିତ ଶାୱାର, ସଫା କରିବା ବେସିନ୍, ପାଣି କୁଣ୍ଢ ଇତ୍ୟାଦି ଉପରେ ପୂର୍ବରୁ ୧୦% ସୀମା ଶୁଳ୍କ ଆଦାୟ ହେଉଥିବା ବେଳେ ଏବେ ଏହା ୧୫% ହୋଇଛି।
* ରତ୍ନପଥର ଉପରେ ପୂର୍ବରୁ ୫% ସୀମା ଶୁଳ୍କ ଲାଗୁ ହେଉଥିବା ବେଳେ ଏବେ ଏହା ୭.୫% ହୋଇଛି।
* ପ୍ଲାଷ୍ଟିକ୍ ବକ୍ସ, ବଟଲ୍ କଣ୍ଟେନରସ୍ ଇତ୍ୟାଦି ଉପରେ ପୂର୍ବରୁ ୧୦% ସୀମା ଶୁଳ୍କ ଲାଗୁ ହେଉଥିବା ବେଳେ ଏବେ ଏହା ୧୫% ହୋଇଛି।
* ଟ୍ରଙ୍କସ୍/ସୁଟ୍କେସ୍,ପରିବହନ ବ୍ୟାଗ୍ ଇତ୍ୟାଦି ଉପରେ ପୂର୍ବରୁ ୧୦% ସୀମା ଶୁଳ୍କ ଲାଗୁ ହେଉଥିବା ବେଳେ ଏବେ ଏହା ୧୫% ହୋଇଛି।
* ପ୍ଲାଷ୍ଟିକରେ ନିର୍ମିତ କିଚେନ୍ ୱେର,ଟେବୁଲ ୱେର ଓ ଅନ୍ୟ ଘରୋଇ ଆସବାବ ପତ୍ର ଉପରେ ପୂର୍ବରୁ ୧୦% ସୀମା ଶୁଳ୍କ ଲାଗୁ ହେଥିବା ବେଳେ ଏବେ ଏହା ୧୫%କୁ ବୃଦ୍ଧି ପାଇଛି।