ବାୟୁ ପ୍ରଦୂଷଣରେ ୬୬ ଲକ୍ଷ ଲୋକଙ୍କ ଅକାଳ ମୃତ୍ୟୁ

୨୦୧୯-ଲାନ୍ସେଟ୍ ରିପୋର୍ଟ

0

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ୨୦୧୯ରେ ବାୟୁ ପ୍ରଦୂଷଣ ଯୋଗୁଁ ବିଶ୍ୱରେ ୬୬ ଲକ୍ଷ ଲୋକଙ୍କର ଅକାଳ ମୃତ୍ୟୁ ଘଟିଛି ବୋଲି ଲାନ୍ସେନ୍ ପ୍ଲାନେଟୋରି ହେଲ୍ଥ ସଂଗଠନ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ଏଥିମଧ୍ୟରୁ ଭାରତରେ କେବଳ ୧୬.୭୦ ଲକ୍ଷ ଲୋକଙ୍କର ପ୍ରାଣହାନି ଘଟିଥିବାବେଳେ ଏହା ମୋଟ ମୃତ୍ୟୁସଂଖ୍ୟାର ୧୭.୮ ପ୍ରତିଶତ ବୋଲି କୁହାଯାଇଛି । ପୁନଶ୍ଚ ୨୦୧୫ ପରଠାରୁ ବାୟୁ ପ୍ରଦୂଷଣରେ ବିଶ୍ୱରେ ୯୦ ଲକ୍ଷ ଲୋକ ପ୍ରାଣ ହରାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଅର୍ଥାତ ପ୍ରତି ୬ ଜଣରେ ଜଣେ ବ୍ୟକ୍ତିଙ୍କର ବାୟୁ ପ୍ରଦୂଷଣରେ ମୃତ୍ୟୁ ଘଟିଛି ।

ଅପରପକ୍ଷରେ ୨୦୧୯ରେ ଜଳ ପ୍ରଦୂଷଣରେ ୯ ଲକ୍ଷ ଏବଂ ବିଷାକ୍ତ ଗ୍ୟାସ୍ ପ୍ରଭାବରେ ୮.୭୦ ଲକ୍ଷ ଲୋକ ପ୍ରାଣ ହରାଇଥିବା ଜଣାପଡିଛି । ଭାରତ ସରକାର ବାୟୁ ପ୍ରଦୂଷଣ ରୋକିବାକୁ ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା’କୁ କାର୍ଯ୍ୟକାରୀ କରିଛନ୍ତି । ଫଳରେ ଅଧିକରୁ ଅଧିକ ଲୋକଙ୍କୁ ସୁଲଭ ମୂଲ୍ୟରେ ରନ୍ଧନ ଗ୍ୟାସ ଯୋଗାଇ ଦିଆଯିବା ସହ ବାୟୁ ପ୍ରଦୂଷଣକୁ କିଛିମାତ୍ରାରେ ନିୟନ୍ତ୍ରଣ କରାଯାଇପାରିଛି । ଏହାସତ୍ତ୍ୱେ ଭାରତରେ ବାୟୁ ପ୍ରଦୂଷଣଜନିତ ମୃତ୍ୟୁସଂଖ୍ୟା ବିଶ୍ୱରେ ସର୍ବାଧିକ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସମସ୍ତ ଉଦ୍ୟମ ସତ୍ତ୍ୱେ ଭାରତରେ ବାୟୁ ପ୍ରଦୂଷଣ ନିୟନ୍ତ୍ରିତ ହୋଇପାରୁନାହିଁ । ଦେଶର ଅଧିକାଂଶ ସହରରେ ବାୟୁ ପ୍ରଦୂଷଣ ସ୍ତର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ନିର୍ଦ୍ଧାରିତ ସ୍ତରଠାରୁ ଯଥେଷ୍ଟ ଅଧିକ ରହୁଛି । ଗାଙ୍ଗେୟ ଉପତ୍ୟକାରେ ଏହି ସମସ୍ୟା ସବୁଠାରୁ ଜଟିଳ ଆକାର ଧାରଣ କରିଛି । କୃଷି, ଶିଳ୍ପ, ଯାନବାହନ ଚଳାଚଳ ଯୋଗୁଁ ବାୟୁ ପ୍ରଦୂଷଣ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଛି ।

ବାୟୁ ପ୍ରଦୂଷଣ ଯୋଗୁଁ ନିମ୍ନ ଓ ମଧ୍ୟମ ଆୟକାରୀ ବର୍ଗ ଦେଶଗୁଡିକ ଅଧିକ କ୍ଷତିଗ୍ରସ୍ତ ହେଉଥିବା ରିପୋର୍ଟରୁ ଜଣାପଡିଛି । ପ୍ରଦୂଷଣ ଯୋଗୁଁ ଏହି ଦେଶଗୁଡିକର ଜିଡିପି ମଧ୍ୟ ହ୍ରାସ ପାଇବାରେ ଲାଗିଛି । ମୋଟଉପରେ ଦେଖିବାକୁ ଗଲେ ବିଗତ ଦୁଇ ଦଶନ୍ଧି ମଧ୍ୟରେ ବାୟୁ ପ୍ରଦୂଷଣ ଯୋଗୁଁ ମୃତ୍ୟୁସଂଖ୍ୟା ୬୬ ପ୍ରତିଶତ ବୃଦ୍ଧି ପାଇଛି । ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଅତ୍ୟାଧୁନିକ କାରିଗରୀକୌଶଳ ଆପଣେଇବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଭାବିତ ରାଷ୍ଟ୍ରଗୁଡିକୁ ପରାମର୍ଶ ଦେଇଛି ।

Leave a comment