ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ରାଜସାକ୍ଷୀଥିଲେ ମୁଖ୍ୟ ଅଭିଯୁକ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜୁନାଗଡ଼ ଗଣଦୁଷ୍କର୍ମ ମାମଲାର ପୋଲିସ ରାଜସାକ୍ଷୀ ହେଲା ଗିରଫ । ପୀଡ଼ିତାଙ୍କ ବୟାନ ଆଧାରରେ ଅଭିଯୁକ୍ତ ବସ୍ ଡ୍ରାଇଭର ଲଳିତେନ୍ଦ୍ର ଶବର ଓରଫ ନରେନ୍ଦ୍ର ଶବରକୁ ଗିରଫ କରିଛି ପୋଲିସ । ପୋଲିସ ଆଜି ଲଳିତେନ୍ଦ୍ରକୁ ଗିରଫ କରି ଜେଏମ୍ଏଫ୍ସି କୋର୍ଟକୁ ହାଜର କରିଥିଲେ। ମାତ୍ର ମହାଳୟା ପାଇଁ ଆଜି କୋର୍ଟ ଛୁଟି ଥିବାରୁ ପୁଲିସ ଅଭିଯୁକ୍ତକୁ ମାଜିଷ୍ଟ୍ରେଟ୍ଙ୍କ ଘରେ ଉପସ୍ଥାପନ କରିବାପରେ ଅଭିଯୁକ୍ତକୁ ଜେଲ ପଠେଇ ଦିଆଯାଇଛି ।
ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ପ୍ରଥମ ବୟାନ ଆଧାରରେ ପୁଲିସ ୯ ଜଣଙ୍କୁ ଗିରଫ କରିଥିଲା । ମାତ୍ର ବସ ଚାଳକ ଲଳିତେନ୍ଦ୍ରଙ୍କୁ ରାଜସାକ୍ଷୀ କରି ଛାଡ଼ିଦେଇଥିଲା ପୋଲିସ । ମାତ୍ର ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ପୀଡ଼ିତା । ଲଳିତେନ୍ଦ୍ର ମୁଖ୍ୟ ଅଭିଯୁକ୍ତ ବୋଲି ଗତ ଶନିବାର ପୀଡ଼ିତା ଗଣମାଧ୍ୟମକୁ ବୟାନ ଦେଇଥିଲେ । ପୀଡିତାଙ୍କ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପୋଲିସର ବଢିଥିଲା ଟେନସନ । ଏପରିକି ପଲିଟିକାଲ ଲିଙ୍କ ଥିବାରୁ କଳାହାଣ୍ଡି ଜିଲ୍ଲା ପୋଲିସ ତତ୍ପର ହୋଇଥିଲା । ଭାଇରାଲ ହୋଇଥିବା ଭିଡ଼ିଓ ଆଧାରରେ ପୀଡ଼ିତାଙ୍କର ପୁଣି ଥରେ ବୟାନ ରେକର୍ଡ କରିଥିଲା ପୋଲିସ । ଏହି ସମୟରେ ସେ ବସ ଡ୍ରାଇଭର ଲଳିତେନ୍ଦ୍ରଙ୍କ ନାଁ ନେଇଥିବାରୁ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଭାଇରାଲ ହୋଇଥିବା ଭିଡିଓରେ ନିଜକୁ ଜୁନାଗଡ଼ ପୀଡ଼ିତାର ପରିଚୟ ଦେଉଥିବା ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ଘଟଣା ଦିନ ସେ ଲଳିତେନ୍ଦ୍ର ସହ ଲିଫ୍ଟରେ ଆସୁଥିଲେ। ଲଳିତେନ୍ଦ୍ର ହଠାତ ବନମାଳୀପୁର ଛକ ନିକଟରେ ବାଇକକୁ ଅଟକାଇ ଦେଇଥିଲା । ପରେ ୬ ଜଣ ଯୁବକ ଆସି ତାଙ୍କୁ ଜଙ୍ଗଲ ଭିତରକୁ ନେଇଯାଇଥିଲେ । ସେଠି ଲଳିତେନ୍ଦ୍ର ପ୍ରଥମେ ଦୁଷ୍କର୍ମ କରିଥିଲା । ତା’ପରେ ଜଣେ ପରେ ଜଣେ ଦୁଷ୍କର୍ମ କରିଥିବା ପୀଡ଼ିତା କହିଥିଲେ । ଲଳିତେନ୍ଦ୍ର ଶବରକୁ ଯଦି ଛାଡ଼ି ଦିଆଯିଏ, ତାହେଲେ ଆତ୍ମହତ୍ୟା କରିବାକୁ ପୀଡ଼ିତା ଧମକ ଦେବାପରେ ପୋଲିସ ଲଳିତେନ୍ଦ୍ରକୁ ଗିରଫ କରିଛି ।