ପୋଲିସକୁ ବାନ୍ଧିଲା ପୋଲିସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ଭିଜିଲାନ୍ସ ଗିରଫ କରିଛି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ ବେଳେ ଠାବ କରିଥିବା ସମ୍ପତ୍ତିର ସଠିକ ହିସାବ ଦେଇନପାରିବାରୁ ତାଙ୍କୁ ଗିରଫ କରାଯାଇଛି । ଏହା ସହିତ ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି । ତ୍ରିନାଥଙ୍କର ମୋଟ ୧୧ କୋଟି ୨ ଲକ୍ଷର ସମ୍ପତ୍ତି ଠାବ ହୋଇଛି । ସେଥିରୁ ୮ କୋଟି ୬୧ ଲକ୍ଷ ଆୟ ବହିର୍ଭୂତ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ତ୍ରିନାଥଙ୍କ ହସ୍ପିଟାଲ ବ୍ୟବସାୟ ପତ୍ନୀଙ୍କ ନାଁରେ ରହିଥିବା ବେଳେ କଟକ ମହାନଦୀ ବିହାରରେ ତ୍ରିନାଥଙ୍କ ପୁଅଙ୍କ ନାଁରେ ଔଷଧ ଉଦ୍ଦ୍ୟୋଗ ରହିଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ଏଏସପି ତ୍ରିନାଥ ମିଶ୍ରଙ୍କ କଟକ ସ୍ଥିତ ଅଫିସ ଓ ସରକାରୀ ବାସଭବନ ସମେତ ଭୁବନେଶ୍ୱର ରସୁଲଗଡସ୍ଥିତ ମନୋରମା ଇଷ୍ଟେଟ, ପୈତୃକ ଘର ନବରଙ୍ଗପୁରର ଡାବୁ ଗାଁ, ଯାଜପୁର ବଡଚଣାସ୍ଥିତ ଶଶୁର ଘର, ବଡଚଣା ତେଲିଘରସ୍ଥିତ ଶାନ୍ତିଲତା ଫାର୍ମ ହାଉସ, ଚଣ୍ଡିଖୋଲରେ ଥିବା ଶାନ୍ତିଲତା କେୟାର ଆଣ୍ଡ ନିର୍ସିଂ ହୋମ, ଶାନ୍ତିଲତା ଟ୍ରାସପୋର୍ଟ, ବିରିଡି ଜଗତସିଂପୁରସ୍ଥିତ ଡ୍ରାଇଭର ରଜୀବ ମହାନ୍ତିଙ୍କ ଘର, କଟକ ମହାନଦୀ ବିହାରରେ ଥିବା ଏକ ଫ୍ୟାକ୍ଟ୍ରି, ତୁଳସୀପୁରସ୍ଥିତ ଅଫିସ, ମଧୁପାଟଣା ଥାନା କ୍ୟାମ୍ପସରେ ଥିବା ଘର ସମେତ ୧୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା । ଚଢାଉ ବେଳେ ଭିଜିଲାନ୍ସ ତାଙ୍କ ଠାରୁ ୧କୋଟି ୧୦ ଲକ୍ଷ ଟଙ୍କାର ଏକ ବିଏମଡବ୍ଲ୍ୟୁ କାର ସହିତ ୧୭ ଲକ୍ଷର ହୁଣ୍ଡାଇ କ୍ରେଟା, ମାରୁତି ବାଲେନୋ କାର୍‌, ସେଭ୍ରୋଲେ ଟ୍ରେଲବ୍‌ଲେଜର କାର ଏବଂ ୫.୩ ଲକ୍ଷର ଝିଟିଆର ୨୫୦ ହୋସୁଙ୍ଗ ବାଇକ, ୧ ଲକ୍ଷ ୭୫ ହଜାର ମୂଲ୍ୟର ବୁଲେଟ ଓ ୨୦ ଲକ୍ଷ ଟଙ୍କାର ଟ୍ରମ୍ଫ ରକେଟ ବାଇକ୍ ଠାବ କରାଯାଇଛି ।

ଏହି ଚଢାଉରେ ଭିଜିଲାନ୍ସର ଏକ ବଡ ଟିମ ତଥା ୩ଜଣ ଅତିରିକ୍ତ ଏସପି, ୧୦ ଜଣ ଡିଏସପି, ୧୩ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ନିୟୋଜିତ ହୋଇଥିଲେ ।

Leave a comment