ମୋଦୀଙ୍କ ସହ ଆଲୋଚନା କଲେ ଜେଡି ଭାନ୍ସ
ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଚାରି ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ସୋମବାର ସକାଳ ପ୍ରାୟ ୯ଟା୪୫ ମିନିଟ ସମୟରେ ଦିଲ୍ଲୀର ପାଲମ ବିମାନବନ୍ଦରରେ ଜେଡି ଭ୍ରାନ୍ସ ସପରିବାର ସହ ପହଞ୍ଚିଥିଲେ । ବିମାନବନ୍ଦରରେ ଜେଡି ଭ୍ରାନ୍ସଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ତାଙ୍କୁ ସ୍ୱାଗତ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିମାନ ବନ୍ଦରରେ ପହଞ୍ଚିଥିଲେ। ଭାରତ ଗସ୍ତର ପ୍ରଥମ ସନ୍ଧ୍ୟାରେ ଜେଡି ଭାନ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଜେଡି ଭାନ୍ସଙ୍କୁ ସ୍ୱାଗତ କରିଥିଲେ ମୋଦୀ । ଦୁଇ ଦେଶ ମଧ୍ୟରେ ସହଯୋଗ ପାଇଁ ନୂତନ ସୁଯୋଗ ସୃଷ୍ଟି ଏବଂ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ଜେଡି ଭ୍ରାନ୍ସଙ୍କ ଏହି ଗସ୍ତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଲୋକ କଲ୍ୟାଣ ମାର୍ଗରେ ପିଏମ ମୋଦୀ ଏବଂ ଜେଡି ଭାନ୍ସଙ୍କ ମଧ୍ୟରେ ବୈଠକ ହୋଇଥିଲା। ପ୍ରଧାନମନ୍ତ୍ରୀ ଭାନ୍ସଙ୍କ ପତ୍ନୀ ଏବଂ ପିଲାମାନଙ୍କ ହ ମଧ୍ୟ ସାକ୍ଷାତ କରିଥିଲେ । ଭାନ୍ସ ପରିବାରକୁ ସ୍ୱାଗତ କରିବା ପାଇଁ ତଳେ ଲାଲ କାର୍ପେଟ ବିଛାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଦ୍ୱାରା ପ୍ରକାଶିତ ଫଟୋଗୁଡିକରେ, ଭାନ୍ସଙ୍କ ପିଲାମାନେ ସୁଟ୍ ଏବଂ ନେହେରୁ ଜ୍ୟାକେଟ୍ ପିନ୍ଧିଥିବା ଦେଖିବାକୁ ମିଳିଛି । ଭାନ୍ସଙ୍କ ଝିଅ ମୀରାବେଲ ଏକ ଗୋଲଡେନ୍ ଫ୍ରକ୍ ପିନ୍ଧିଥିଲେ । ଭ୍ରାନ୍ସଙ୍କ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଗସ୍ତ ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭାରତ-ଆମେରିକା ବାଣିଜ୍ୟ, ଶୁଳ୍କ ପ୍ରସଙ୍ଗ, ପ୍ରତିରକ୍ଷା ସହଯୋଗ, କ୍ୱାଡ ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ନେଇ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଗାମୀ ଭାରତ ଗସ୍ତ ଏବଂ ଦୁଇ ଦେଶ ମଧ୍ୟରେ ଚାଲିଥିବା ଶୁଳ୍କ ଆଲୋଚନାର ଏଜେଣ୍ଡା ସ୍ଥିର କରିବା ଦୃଷ୍ଟିରୁ ମଧ୍ୟ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଜେଡି ଭାନ୍ସଙ୍କ ପାଇଁ ଆଜି ରାତ୍ରୀଭୋଜନର ଆୟୋଜନ ମଧ୍ୟ କରାଯାଇଛି । ଆମେରିକାର ଉପରାଷ୍ଟ୍ରପତି ହେବା ପରେ ଜେଡି ଭାନ୍ସ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି।
ଜେଡି ଭାନ୍ସ ନିଜ ପରିବାର ସହିତ ଦିଲ୍ଲୀର ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଛନ୍ତି । ସେଠାରେ ମଧ୍ୟ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ମନ୍ଦିର ପରିଦର୍ଶନ କରିବା ପରେ, ଭାନ୍ସ କହିଥିଲେ ଯେ, ମୋ ପିଲାମାନେ ଅକ୍ଷରଧାମ ମନ୍ଦିରକୁ ଖୁବ ପସନ୍ଦ କରିଛନ୍ତି । ଏତେ ସମ୍ମାନର ସହିତ ସ୍ୱାଗତ କରିବା ପାଇଁ ଜେଡି ଧନ୍ୟବାଦ ଜଣାଇଛନ୍ତି ।