୧୦ ଦିନରେ ୭ ଥର ବୃଦ୍ଧି ହେଲା ପେଟ୍ରୋଲ ଓ ଡିଜେଲ ଦର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାମାରୀ ବେଳେ ମହଙ୍ଗାମାଡ଼। ବାରମ୍ବାର ବଢ଼ି ଚାଲିଛି ତୈଳ ଦର। ଆଉ ଏବେ ୧୦୦ ପାର୍ ତୈଳଦର ହୋଇଛି। ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଦର ଶହେ ପାର୍ ହୋଇଛି। ଓଡ଼ିଶାର ବି କିଛି ସ୍ଥାନରେ ସ୍ପିଡ୍ ଅଏଲ ଦର ଲିଟର ପିଛା ଶହେ ଟଙ୍କା ଟପିଛି। ମାଲକାନଗିରିରେ ୧୦୦ଟଙ୍କାଠାରୁ ମାତ୍ର କିଛି ଦୂରରେ ତୈଳଦର ରହିଛି। ଏଠି ପେଟ୍ରୋଲ ଦର ୯୯ ଟଙ୍କା ୭୯ ପାଇସା ଥିବା ବେଳେ ଡିଜେଲ ଦର ୯୭ଟଙ୍କା ୬୪ ପଇସା ରହିଛି। ଭୁବନେଶ୍ୱରରେ ମଧ୍ୟ ସମାନ ଅବସ୍ଥା। ଏଠି ପେଟ୍ରୋଲ ଦର ୯୪ଟଙ୍କା ୭୨ ପାଇସା ଥିବା ବେଳେ ଡିଜେଲ ଦର ମଧ୍ୟ ୯୨ ଟଙ୍କା ୫୫ ପଇସାରେ ପହଞ୍ଚିଛି। ଗତ ଦୁଇମାସରେ ପେଟ୍ରୋଲ ଦର ୩ ଟଙ୍କା ୪୫ ପଇସା, ଡିଜେଲ ଦର ୪ ଟଙ୍କା ୪୩ ପଇସାକୁ ବୃଦ୍ଧି ପାଇଛି। ଗତ ୧୦ ଦିନରେ ପେଟ୍ରୋଲ ଓ ଡିଜେଲ ଦର ୭ ଥର ବୃଦ୍ଧି ଘଟିଛି।