ସଂସଦର ବଜେଟ୍ ଅଧିବେଶନର ଅନ୍ତିମ ଦିନରେ ହୋହାଲ୍ଲା, ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ହେଲା ରାଜ୍ୟସଭା ଓ ଲୋକସଭା

0

ସଂସଦର ବଜେଟ୍ ଅଧିବେଶନର ଅନ୍ତିମ ଦିନରେ ମଧ୍ୟ ହୋହାଲ୍ଲା କାରଣରୁ କୌଣସି କାର୍ଯ୍ୟ ହୋଇପାରି ନାହିଁ । ଏହା ସହିତ ରାଜ୍ୟସଭା ଓ ଲୋକସଭାକୁ ପରବର୍ତ୍ତୀ ଅଧିବେଶନ ପର୍ଯ୍ୟନ୍ତ ସ୍ଥଗିତ ଘୋଷଣା କରାଯାଇଛି । ସଂସଦ ସ୍ଥଗିତ ହେବାପରେ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ ବିଜୟ ଚୌକ୍‌ରେ ତ୍ରିରଙ୍ଗା ମାର୍ଚ୍ଚ କରିଥିଲେ ।

ଅଦାନୀ ମାମଲାରେ ସଂଯୁକ୍ତ ସଂସଦୀୟ କମିଟି (ଜେପିସି) ଦାବିକୁ ନେଇ ଜିଦ୍‌ରେ ଅଟଳ କଂଗ୍ରେସ ଏବଂ ଅନ୍ୟ ୧୨ଟି ବିରୋଧୀ ଦଳ ବିରୋଧ ପ୍ରଦର୍ଶନ ସ୍ୱରୂପ ଲୋକସଭା ଅଧ୍ୟକ୍ଷ ଓମ୍ ବିରଳାଙ୍କ ପକ୍ଷରୁ ସନ୍ଧ୍ୟାରେ ରଖାଯାଇଥିବା ଚା’ ପାର୍ଟିର ମଧ୍ୟ ବହିଷ୍କାର କରିଥିଲେ ।

ଉଭୟ ଗୃହର ଗତ ୧୪ଟି ବୈଠକ ଅବସରରେ ଅଦାନୀ-ହିଣ୍ଡନ୍‌ବର୍ଗ ମାମଲାରେ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦାବି ଏବଂ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦକୁ ନେଇ ଖୁବ୍ ହଙ୍ଗାମା ହୋଇଥିଲା । ବିଜେପି ସାଂସଦମାନେ ମଧ୍ୟ ରାହୁଲ ଗାନ୍ଧୀ ଲଣ୍ଡନରେ ଦେଇଥିବା ବୟାନକୁ ନେଇ ହଙ୍ଗାମା କରିଥିଲେ । ଫଳରେ ଗୋଟିଏ ବି ଦିନ ସଦନ କାର୍ଯ୍ୟ ଚାଲିପାରିନଥିଲା । ଆଇନ ମନ୍ତ୍ରୀ କିରେଣ ରିଜିକୁ ବିରୋଧୀ ଦଳଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଆଜି ପୁଣି କଂଗ୍ରେସ ସାଂସଦ ଏବଂ ବାକି ବିରୋଧୀ ନେତାମାନେ ମିଳିମିଶି ସଦନରେ ହଙ୍ଗାମା କରିଛନ୍ତି । ଆଜି ସେମାନେ କଳା କପଡ଼ା ପିନ୍ଧି ସଦନର ଅପମାନ କରିଛନ୍ତି । କଂଗ୍ରେସ କ’ଣ କରୁଛି ଦେଶ ତାହା ଦେଖୁଛି । କଂଗ୍ରେସ ନା ସମ୍ବିଧାନରେ ବିଶ୍ୱାସ କରୁଛି ନା ଦେଶର ଆଇନର ସମ୍ମାନ କରୁଛି ।

ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡ୍‌ଗେ କହିଛନ୍ତି, ଆମେ ଅଦାନୀ ପ୍ରସଙ୍ଗରେ ଜେପିସି ଦାବି କରୁଛି, ମାତ୍ର ସରକାର ଏହାକୁ କାହିଁକି ଡରୁଛନ୍ତି । ଅଦାନୀଙ୍କ ସମ୍ପତ୍ତି ମାତ୍ର ଅଢ଼େଇ ବର୍ଷରେ ୧୨ ଲକ୍ଷ କୋଟି କିପରି ହୋଇଛି । ମୋଦୀ ଜୀଙ୍କର ଜଣେ ବ୍ୟକ୍ତି ପ୍ରତି କାହିଁକି ଏତେ ଦରଦ । ସେ କହିଛନ୍ତି, ଏହି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଆମେ ଯେବେ ବି ନୋଟିସ୍ ଦେବାକୁ ଚାହିଁଛୁ, ଆମକୁ କେବେ ବି କହିବାକୁ ଦିଆଯାଇ ନାହିଁ । ଏପରି ପ୍ରଥମ ଥର ହୋଇଛି । ୫୨ ବର୍ଷରେ ମୁଁ ଏପରି କେବେ ଦେଖିନାହିଁ । ଖୋଦ୍ କ୍ଷମତାସୀନ ପାର୍ଟିର ଲୋକମାନେ ସଦନ ଚାଲିବାକୁ ଦେଉନଥିବା ଏଠାରେ ଦୁଇବର୍ଷ ଧରି ଦେଖିଆସୁଛି ।

Leave a comment