ଆଜିଠୁ ଆରମ୍ଭ ହେଉଛି ପଞ୍ଚୁକ; କାର୍ତ୍ତିକ ମାସରେ ପଞ୍ଚୁକର କ’ଣ ରହିଛି ମହାତ୍ମ୍ୟ

ପଞ୍ଚକ ବା ପଞ୍ଚୁକ ଓଡ଼ିଶାରେ ପାଳିତ ଏକ ହିନ୍ଦୁ ପର୍ବ । ଏହା କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ) ଭାବେ ପାଳନ କରାଯାଏ । ଏହା ମହାପଞ୍ଚକ, ବକପଞ୍ଚକ ବା ଭୀଷ୍ମପଞ୍ଚକ ବି ବିଷ୍ଣୁପଞ୍ଚକ ଭାବେ ମଧ୍ୟ ଜଣା ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରନ୍ତି । ଅନେକ ଅଁଳା ନବମୀ, ରାଧାପାଦ ଦର୍ଶନ ଦିବସଠାରୁ ସାତଦିନ ହବିଷ୍ୟ କରନ୍ତି । ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ସାତ୍ତ୍ୱିକ ଖାଦ୍ୟ ଆହାର କରିଥାନ୍ତି ।
କିମ୍ବଦନ୍ତୀ:
କିମ୍ବଦନ୍ତୀ ଅନୁସାରେ ବଗସବୁ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରହନ୍ତି ବୋଲି କଥିତ ଥିବାରୁ ଏହାକୁ “ବକ ପଞ୍ଚକ” ମଧ୍ୟ କୁହାଯାଏ । ଶର ଶଯ୍ୟା ଉପରେ ଶାୟିତ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ । ଏଥିରେ ପ୍ରସନ୍ନ ହୋଇ ସେ ଭୀଷ୍ମଙ୍କୁ କହିଲେ, “ଆପଣ ଧନ୍ୟ । ଧର୍ମର ଗୂଢ଼ ରହସ୍ୟ ବର୍ଣ୍ଣନା କରିଛନ୍ତି । କାର୍ତ୍ତିକ ଏକାଦଶୀ ଦିନ ଜଳର ଇଚ୍ଛା କରିଛନ୍ତି । ଅର୍ଜୁନ ବାଣଦ୍ୱାରା ଗଙ୍ଗାଜଳ ପ୍ରସ୍ତୁତ କଲେ, ଯାହାଦ୍ୱାରା ଆପଣଙ୍କର ଦେହମନ ସନ୍ତୁଷ୍ଟ ହେଲା । ଏଣୁ ଆଜିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଯେଉଁମାନେ ତୁମକୁ ଜଳ ଅର୍ଘଦାନ କରିବେ ସେମାନେ ମୋତେ ତୃପ୍ତକରିବେ । ଏହା ହେଉଛି ଭୀଷ୍ମପଞ୍ଚକ ଓ ଏହା ପ୍ରତିବର୍ଷ ପାଳିତ ହେବ” । ସାଧାରଣତଃ ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ଲୋକ ଏହି ଭୀଷ୍ମପଞ୍ଚକ ବ୍ରତ ପାଳନକରନ୍ତି । କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏକଲକ୍ଷ ତୁଳସୀପତ୍ର ଚଢ଼ାଇ ବିଷ୍ଣୁଙ୍କୁ ପୂଜାକଲେ ସମସ୍ତ ଦେବତା ପ୍ରସନ୍ ନହୋଇ ବର ପ୍ରଦାନ କରନ୍ତି ବୋଲି ଲୋକ ବିଶ୍ୱାସ ମଧ୍ୟ ରହିଛି ।