ପୁରୀ ଉଚ୍ଛେଦ କ୍ଷତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରୁ ଉଚ୍ଛେଦରେ କ୍ଷତିଗ୍ରସ୍ତଙ୍କ ପାଇଁ ଆଜି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷା ପାଇଁ ଏହି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ଜଗନ୍ନାଥଙ୍କ ସୁରକ୍ଷାକୁ ନେଇ କୌଣସି ସାଲିସ ବରଦାସ୍ତ କରାଯିବନାହଁ ।

ସୂଚନା ଅନୁଯାୟୀ, ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ଲାଗି ସେଠାରେ ଭିତ୍ତିଭୂମିର ବିକାଶ ଆବଶ୍ୟକତା ରହିଛି । ଏଥିସହ ଶ୍ରୀମନ୍ଦିରର ନିରାପତ୍ତା ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ ଆଜି ପୁନର୍ବାର ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ କ୍ଷତିଗ୍ରସ୍ତଙ୍କ କିଛି ପ୍ୟାକେଜ ଘୋଷଣା କରିଛନ୍ତି ।

୧. ବାସଗୃହ ଅଧିଗ୍ରହଣ : ଯେଉଁ ବ୍ୟକ୍ତି ଏହି ଉଚ୍ଛେଦ ପ୍ରକ୍ରିୟାରେ ନିଜ ବାସଗୃହ ବା ଜମି ହରାଇଛନ୍ତି ସେମାନଙ୍କୁ ସ୍ୱତନ୍ତ୍ର ଥଇଥାନ ଓ ପୁନର୍ବାସ ନିତି ଅନୁଯାୟୀ,

* ସ୍ଥାନାନ୍ତରିତ ହେଉଥିବା ପରିବାରକୁ ପରିବହନ ଖର୍ଚ୍ଚ ତଥା ଆନୁଷଙ୍ଗିକ ଭାବେ ୫୦ହଜାର ଟଙ୍କା ପ୍ରଦାନ କରାଯିବ ।

* ବିସ୍ଥାପିତ ପରିବାର ଜମି କିମ୍ବା ଘର ପାଇବା ପର୍ଯ୍ୟନ୍ତ ମାସିକ ୧୦ ହଜାର ଟଙ୍କା ଘରଭଡା ସହାୟତା ଦିଆଯିବ । ଏକକାଳୀନ ସହାୟତା ନେଇଥିବା ବ୍ୟକ୍ତିଙ୍କ ପାଇଁ ଏହି ସୁବିଧା ଯୋଗାଇ ଦିଆଯିବନାହିଁ ।

୨. ପୁନର୍ବାସ ଯୋଜନା : ଏହି ଯୋଜନାକୁ ତିନି ଭାଗରେ ବିଭାଜିତ କରାଯାଇଛି । ଗୋଟିଏ ପରିବାର ଏହା ମଧ୍ୟରୁ କେବଳ ଗୋଟିଏ ପ୍ରକ୍ରିୟା ଚୟନ କରିପାରିବ :

* ଗୋଟିଏ ପରିବାର ଏକ କାଳୀନ ୩୦ଲକ୍ଷ ଟଙ୍କା ସହାୟତା ନେଇପାରିବ

* ମନ୍ଦିର ନିକଟବର୍ତ୍ତୀ ୧.୫କିଲୋମିଟର ପରିସର ମଧ୍ୟରେ ପ୍ରସ୍ତାବିତ ପୁନର୍ବାସ ଓ ଥଇଥାନ କଲୋନୀରେ ୫୨୦ ବର୍ଗଫୁଟ ପରିମିତ ଘର

* ମନ୍ଦିରର ୨କିଲୋମିଟର ମଧ୍ୟରେ ୪୦×୨୫ ଫୁଟର ଜାଗା

୩. ଦୋକାନ ଗୃହ ଅଧିଗ୍ରହଣ ସହାୟତା:

* ପରିବହନ ଖର୍ଚ୍ଚ ୫୦ହଜାର ଟଙ୍କା

* ଦୋକାନ ଘରପାଇଁ ଦୁଇଟି ବ୍ୟବସ୍ଥା କରାଯାଇଛି । କୌଣସି ଗୋଟିଏ ବ୍ୟବସ୍ଥା ଚୟନ କରିପାରିବେ:

* ୨୦୦ବର୍ଗ ଫୁଟରୁ କମ, ୨୦୦ ରୁ ୫୦୦ ବର୍ଗଫୁଟ ମଧ୍ୟରେ, ୫୦୦ରୁ ଉର୍ଦ୍ଧ ବର୍ଗଫୁଟ ପାଇଁ ଯଥାକ୍ରମେ ୫,୦୦୦,୧୦,୦୦୦,୧୫,୦୦୦ ଟଙ୍କା ଘରଭଡା ପ୍ରଦାନ କରାଯିବ । କିମ୍ବା

* ଜିଲ୍ଲାପାଳଙ୍କ ସହାୟତାରେ ପୁରୀରେ ନିର୍ମିତ ବିଭିନ୍ନ ମାର୍କେଟ କମ୍ପ୍ଲେକ୍ସରେ ଥଇଥାନ କରାଯିବ ।

୪. ଲଜ୍ ଅଧିଗ୍ରହଣ: ଯେଉଁ ଲଜ୍ ୧୫୦୦ ବର୍ଗଫୁଟ ସେମାନଙ୍କ ପାଇଁ ଥଇଥାନ ପୁନର୍ବାସ ନୀତି ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ।

* ୩୦୦୦ ବର୍ଗଫୁଟ ପାଇଁ ୧୦ଲକ୍ଷ ଟଙ୍କା ଓ ୩୦୦୦ ବର୍ଗଫୁଟରୁ କମ ପାଇଁ ୫ହଜାର ଟଙ୍କା ତୁରନ୍ତ ସହାୟତା ପ୍ରଦାନ କରାଯିବ । ଏତତ୍ ବ୍ୟତୀତ ପ୍ରତି ବର୍ଗଫୁଟ କୁ ୨୫ ଟଙ୍କା ହିସାବରେ ମାସିକ ସହାୟତା ୧୮ ମାସ ପର୍ଯ୍ୟନ୍ତ ଦିଆଯିବ ।

* ଲଜ୍ ମାଲିକ ମାନେ ପ୍ରତି ବର୍ଗଫୁଟ ପାଇଁ ୨୦୦୦ ଲେଖାଏଁ ଏକ କାଳୀନ ସହାୟତା ନେଇପାରିବେ । କିମ୍ବା
* ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ୩୦୦ ମିଟର ମଧ୍ୟରେ ୫୦×୩୦, ୫୦×୪୦, ୫୦×୬୦ବର୍ଗଫୁଟ ଜାଗା ପ୍ରଦାନ କରାଯିବ । ଏଥିରେ ଲଜ୍ ନିର୍ବାଚନ ପଶି ବର୍ଗଫୁଟ ପିଛା ୭୫୦ଟଙ୍କା ସହାୟତା ପ୍ରଦାନ କରାଯିବ ।

୫. ଅସ୍ଥାୟୀ କ୍ଷୁଦ୍ର ବ୍ୟବସାୟୀ:

* ଏକ କାଳୀନ ସହାୟତା ୩୦ହଜାର ଟଙ୍କା

* ଜିଲ୍ଲାପାଳଙ୍କ ଅନୁଯାୟୀ ଥଇଥାନ ବ୍ୟବସ୍ଥା

୬. ମଠ: ମଠର ଅଧିପତିଙ୍କ ସହ ଅଲୋଚନା ପରେ ନିର୍ଦ୍ଧାରିତ ହେବ ପରବର୍ତ୍ତୀ କାର୍ଯ୍ୟପନ୍ଥା

* ମଠର ଗାଦି ଓ ପ୍ରତିଷ୍ଠିତ ଦେବଦେବୀଙ୍କୁ ସୁରକ୍ଷିତ ରଖାଯିବ

* ଏହି ମଠ ଗୁଡିକର ପାର୍କିଂ ବ୍ୟବସ୍ଥା ସହିତ ସେମାନଙ୍କର ଆର୍ଥିକ ସୁରକ୍ଷା ପାଇଁ ମାର୍କେଟ କମ୍ପ୍ଲେକ୍ସରେ ଡିକନ ଘର ଯୋଗାଇ ଦିଆଯିବ ।

ଆବଶ୍ୟକ ସ୍ଥଳେ ଜିଲ୍ଲାପାଳ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନଙ୍କ ଅନୁମତି କ୍ରମେ ଏହି ପ୍ୟାକେଜରେ ପରିବର୍ତ୍ତନ କରିପାରିବେ ।

ସେହିପରି ବିଜ୍ଞପ୍ତି ପ୍ରକାଶର ୩୦ଦିନ ମଧ୍ୟରେ ଯେଉଁମାନେ ସ୍ବେଚ୍ଛାକୃତ ଭାବେ ସୁରକ୍ଷା ଜୋନରେ ଥିବା ସେମାନଙ୍କ ସମ୍ପତ୍ତି ସରକାରଙ୍କୁ ହସ୍ତାନ୍ତର କରିବେ ସେମାନଙ୍କୁ ପ୍ୟାକେଜ ସହ ଅଧିକ ୧୦ପ୍ରତିଶତ ଅର୍ଥ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a comment